
ନୂଆପଡା, ତା. ୦୨/୦୪ (ପରମେଶ୍ୱର ମେହେର): ନୂଆପଡା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ମାଓବାଦୀ ବିରୋଧୀ କାର୍ଯ୍ୟରେ କର୍ତ୍ତବ୍ୟ ପାଳନ ସମୟରେ ନିଜ ଜୀବନ ଉତ୍ସର୍ଗ କରିଥିବା ସାହସୀ ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ଦେଶ ସେବାରେ ନିୟୋଜିତ ରହି ଶହୀଦ ହୋଇଥିବା ଏଏସଆଇ କୃପା ରାମ ମାଝି (୦୮.୦୫.୨୦୧୨), କନଷ୍ଟେବଲ (C/୭୮) ପ୍ରକାଶ ରାଉତ (୨୯.୧୧.୨୦୧୩), ଏସପିଓ/୯୦ ଦେବେନ୍ଦ୍ର ଧରୁଆ (୨୯.୧୧.୨୦୧୩) ଏବଂ ଏସଆଇ ରାଜ କିଶୋର ନାୟକ (୦୯.୦୮.୨୦୦୧) ଙ୍କ ଅଦମ୍ୟ ସାହସ ଓ ଅପୂର୍ବ ତ୍ୟାଗକୁ ସ୍ମରଣ କରିଛି ଜିଲ୍ଲା ପୋଲିସ।
ଗଭୀର ସମ୍ମାନ ଓ କୃତଜ୍ଞତାର ପ୍ରତୀକ ଭାବେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ନେତୃତ୍ୱରେ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକଙ୍କ ସହଭାଗିତାରେ, ବୋଡେନ, ଖରିଆର, ନୂଆପଡା ଓ ବେଲଟୁକ୍ତି ଅଞ୍ଚଳର ଏସଡିପିଓ ଓ ଆଇଆଇସିମାନଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ତା. ମାର୍ଚ୍ଚ ୩୦ ଓ ୩୧ ରିଖରେ ଶହୀଦ ପରିବାରମାନଙ୍କୁ ସାକ୍ଷାତ କରି ସମ୍ମାନ ଜଣାଇଥିଲେ।
ଏହି ସମୟରେ ପୋଲିସ ଅଧିକାରୀମାନେ ଶହୀଦ ପରିବାର ସଦସ୍ୟମାନଙ୍କ ସହ ଆଲୋଚନା କରି ତାଙ୍କର ଦୁଃଖରେ ସାମିଲ ହେବା ସହିତ ଶହୀଦମାନଙ୍କର ତ୍ୟାଗ ପ୍ରତି ହୃଦୟଙ୍ଗମ କୃତଜ୍ଞତା ଜଣାଇଥିଲେ। ସେହି ସହିତ ଶହୀଦ ପରିବାରମାନଙ୍କର କଲ୍ୟାଣ, ସମ୍ମାନ ଓ ସମର୍ଥନ ପ୍ରତି ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଅଟୁଟ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରାଯାଇଥିଲା।
ନିଜ ବାର୍ତ୍ତାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ କହିଥିଲେ ଯେ, “ଏହି ବୀର ସନ୍ତାନମାନଙ୍କର ସାହସ ଓ ନିଷ୍ଠା ସଦା ସର୍ବଦା ପୋଲିସ ବିଭାଗ ଓ ସମାଜ ପାଇଁ ପ୍ରେରଣାର ଉତ୍ସ ରୂପେ ରହିବ। ତାଙ୍କର ତ୍ୟାଗ କେବେ ଭୂଲିହେବ ନାହିଁ।”