
ବୁଗୁଡା :୦୯/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମରେ ଜମିବାଡି ବିବାଦକୁ ନେଇ ମଝିଆ ଭାଇର ମରଣାନ୍ତକ ଆକ୍ରମଣରେ ବଡ ଓ ସାନ ଭାଇ ଉଭୟେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଦୁଇ ଜଣ ହେଲେ ବଡ ଭାଇ ଧୋବା ଗୌଡ (୫୭) ଓ ସାନ ଭାଇ ଦୁର୍ଯ୍ଯ ଗୌଡ (୫୦) ଏବଂ ଆକ୍ରମଣକାରୀ ମଝିଆ ଭାଇ ଜଣକ ହେଲେ ପଞ୍ଚୁ ଗୌଡ(୫୪)। ଘଟଣାରୁ ପ୍ରକାଶ ଯେ, ପୂର୍ବରୁ ଜମିବାଡିକୁ ନେଇ ତିନି ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା। ତେବେ ଗୁରୁବାର ସନ୍ଧ୍ଯାରେ ଧୋବା ଓ ଦୁର୍ଯ୍ଯ ଘର ଆଗରେ ଠିଆ ହୋଇ କଥାବାର୍ତ୍ତା ହେଉଥିବା ବେଳେ ପଞ୍ଚୁ ପଛପଟୁ ଆସି ଏକ ଠିଆ କୋଡିରେ ଉଭୟଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା। ଦୁଇ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା। ସେ ଦୁହିଁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୁଇ ଭାଇଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆକ୍ରମଣକାରୀ ପଞ୍ଚୁକୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।