ଯାଜପୁର ସୌମ୍ୟ ହତ୍ୟା ଘଟଣା ଉପରୁ ପରଦା ହଟିଲା

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଟାଉନ ଥାନା ଅନ୍ତର୍ଗତ କାଳୀମେଘା ନିକଟରେ ଚଳିତ ମାସ ୬ ତାରିଖ(ସୋମବାର) ସ୍ଥାନୀୟ କୁଆଁସରପୁର ଅଞ୍ଚଳର ସୌମ୍ୟସାଗର ସାମଲ(୨୩)ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ଶୁଭଶ୍ରୀ ବେହେରାଙ୍କ ସମେତ ଯାଜପୁର ସଦର ଥାନା ଅଞ୍ଚଳର ତାପସ ଖିଲାର(୨୬), ତାର ଭଉଣୀ ଚିନୁ ଓରଫ୍‌ ପ୍ରୀତିପ୍ରଭା ଏବଂ ରାଉରକେଲାର ଦୁଇ ଚୋରାବନ୍ଧୁକ ବେପାରୀ ସୁରଜ ସିଂ(୨୭) ଓ ଅଙ୍କିତ ଠାକୁର(୨୭)କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ ସହ ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି, ମଟର ସାଇକେଲ(ଓଡି-୧୪-ଏଏ-୪୬୧୫) ଓ ୭ଟି ମୋବାଇଲ ଜବତ ହୋଇଛି। ଘଟଣା ପଛରେ ଅଭିଯୁକ୍ତ ପତ୍ନୀର ତ୍ରିକୋଣୀୟ ପ୍ରେମ ଓ ଏହାକୁ ନେଇ ସ୍ବାମୀ ସହ ବିଭିନ୍ନ ସମୟରେ ବିବାଦ ଓ ମନାନ୍ତର ଶେଷରେ ରାସ୍ତାରୁ ହଟାଇବା ଲାଗି ସାଙ୍ଘାତିକ ଷଡ଼୍‌ଯନ୍ତ୍ର କରାଯାଇଥିଲା ବୋଲି ଯାଜପୁର ଏସ୍‌ପି ୟଶପ୍ରତାପ ଶ୍ରୀମାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ସୌମ୍ୟସାଗର ଏବଂ ଶୁଭଶ୍ରୀଙ୍କ ମଧ୍ୟରେ ସ୍କୁଲ ବେଳୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ହେଲେ ତାଙ୍କ ସମ୍ପର୍କକୁ ସୌମ୍ୟଙ୍କ ପରିବାର ସମର୍ଥନ ନକରିବାରୁ ୨୦୨୪ ମସିହା ଜୁଲାଇ ମାସରେ ଉଭୟ ବିବାହବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ଶୁଭଶ୍ରୀ ଶାଶୂଘରେ ନରହିବା ଲାଗି ସୌମ୍ୟଙ୍କୁ ଶିଖାଇ ଯାଜପୁର ସହରକୁ ଆସି କାଳୀମେଘାଠାରେ ଭଡ଼ାଘରେ ରହୁଥିଲେ। ସୌମ୍ୟ ଏକ ଗାଡ଼ି ସୋରୁମ୍‌ରେ କାମ କରୁଥିବା ବେଳେ ଶୁଭଶ୍ରୀ ଯାଜପୁର ସହରରେ ଥିବା ବିଉଟିପାର୍ଲରରେ କାମ କରିବାକୁ ଯାଉଥିଲେ। ସେଠାରେ ପାର୍ଲରର ମାଲିକ ସଦର ଥାନା ବରୁହାଁ ଅଞ୍ଚଳର ଚିନୁ ଓରଫ୍‌ ପ୍ରୀତିପ୍ରଭାଙ୍କ ସହ ସମ୍ପର୍କ ନିବିଡ଼ ହୋଇଥିଲା। ଉଭୟ ଅଧିକାଂଶ ଏକାଠି ହୋଇ ବୁଲିବା ଓ ହୋଟେଲରେ ରହିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫେଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିଲେ। ଏପରିକି ପାର୍ଲର ମାଲିକ ଚିନୁର ଘରକୁ ଶୁଭଶ୍ରୀ ଆସି ଅନେକଥର ରହୁଥିଲା। ଏହାରି ଭିତରେ ରାଉରକେଲାରେ ଡ୍ରାଇଭର କାମ କରୁଥିବା ଚିନୁର ସମ୍ପର୍କୀୟ ଭାଇ ତାପସ ଘରକୁ ଆସି ଶୁଭଶ୍ରୀ ସହ ପରିଚିତ ହୋଇଥିଲା। ପରେ ତାପସ ଓ ଶୁଭଶ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ବିଭିନ୍ନ ସ୍ଥାନକୁ ଉଭୟ ବୁଲାବୁଲି କରିବା ସହ ଫୋନ୍‌ରେ କଥା ହେଉଥିଲେ। ଏପଟେ ପତ୍ନୀର ଚାଲିଚଳଣ ପ୍ରତି ସନ୍ଦେହ କରି ସୌମ୍ୟ ତାକୁ ପଚାରିଥିଲେ। ଏଥିସହ ଶୁଭଶ୍ରୀର ଅଜାଣତରେ ତା’ର ଫୋନ୍‌ରୁ ସୌମ୍ୟ ସବୁକିଛି ପ୍ରମାଣ ପାଇଯାଇଥିଲେ। ଏହାପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗିରହିବା ସହ ହୋଲି ଦିନ ତାପସ ଯାଜପୁର ଟାଉନକୁ ଆସିଥିବା ବେଳେ ଏକ ମଦ‌ଦୋକାନ ସାମ୍ନାରେ ସୌମ୍ୟ ତାକୁ ଦେଖି ପରସ୍ପର ମୁହାଁମୁହିଁ ହୋଇଥିଲେ। ତାପସର ଭଉଣୀ ଚିନୁର ଚରିତ୍ର ଉପରେ ସୌମ୍ୟ ଅରୋପ ଉଠାଇ ଗାଳିଗୁଲଜ କରିଥିଲେ।

ଏହାପରେ ଭାଇଭଉଣୀ ମିଶି ଶୁଭଶ୍ରୀକୁ ଅସ୍ତ୍ର କରିଥିଲେ। ସୌମ୍ୟଙ୍କୁ ସବୁଦିନ ରାସ୍ତାରୁ ହଟାଇବାକୁ ଷଡ଼୍‌ଯନ୍ତ୍ର ରଚିଥିଲେ। ତାପସ ରାଉରକେଲା ଯାଇ ସେଠାରେ ତା’ର ଦୁଇ ବିହାରୀ ବନ୍ଧୁ ସୁରଜ ଓ ଅଙ୍କିତ ସହ କଥା ହୋଇଥିଲା। ସେମାନଙ୍କ ଜରିଆରେ ଚୋରା ବନ୍ଧୁକ ଯୋଗାଡ଼ କରିଥିଲା। ବନ୍ଧୁକ କିଣା ପାଇଁ ୫୮ହଜାର ଟଙ୍କା ଯୋଗାଡ଼ କରିବାକୁ ପଡ଼ିବାରୁ ମନି ଭିୟୁ ଆପ୍ଲିକେସନରୁ ଚିନୁ ଲୋନ୍‌ କରି ଭାଇ ତାପସ ପାଖକୁ ପଠାଇଥିଲା। ତାପସ ନିଜେ ଏହି ଟଙ୍କା ନପଠାଇ ଚିନୁର ମୋବାଇଲରୁ ଫୋନ୍‌ ପେ’ ଜରିଆରେ ପ୍ରଥମେ ୪୯ ହଜାର ଟଙ୍କା ଏବଂ ବନ୍ଧୁକ ପାଇଲା ପରେ ଆଉ ୯ ହଜାର ଟଙ୍କା ନଗଦ ଆକାରରେ ଦେଇଥିଲା ଯାଜପୁର ଟାଉନ ଆସି ୫ ତାରିଖ ଦିନ ସୌମ୍ୟଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାପସ ବିଫଳ ହୋଇଥିଲା। ସୌମ୍ୟଙ୍କ ଗତିବିଧି ଉପରେ ଶୁଭଶ୍ରୀ ହ୍ବାଟ୍‌ସଆପ କଲରେ ଚିନୁ ଓ ତାପସକୁ ଅପଡେଟ୍‌ ଦେଉଥିଲା। ୬ ତାରିଖ(ସୋମବାର) ରାତି‌ରେ ଯେତେବେଳେ ସୌମ୍ୟ ଘରକୁ ଫେରିନଥିଲେ ଶୁଭଶ୍ରୀ ତାଙ୍କୁ ଫୋନ୍‌ କରି ଘରକୁ ଆସିବାକୁ କହିବା ସହିତ ଚିନୁ ଓ ତାପସଙ୍କୁ ହ୍ବାଟ୍‌ସଆପ କଲରେ ସୂଚନା ଦେଇଥିଲା। ଏହାପରେ ଏକ ବାଇକରେ ଆସି ତାପସ କାଳୀମେଘା ଠାରେ ଅନ୍ଧାର ରାସ୍ତାର ସୁଯୋଗ ନେଇ ସୌମ୍ୟଙ୍କ ଉପରକୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡ ଘଟାଇବା ପରେ ଉକ୍ତ ବନ୍ଧୁକକୁ ଯାଜପୁର ମେଡିକାଲ କଲେଜ ପଛପଟ ନଦୀପଠାକୁ ଫିଙ୍ଗାଯାଇଥିବା ବେଳେ ପୁଲିସ ବନ୍ଧୁକଟିକୁ ସେଠାରୁ ଜବତ କରିଛି।
ଏହି ଘଟଣାରେ ଶୁଭଶ୍ରୀଙ୍କ ଭାଇ ଓମ୍‌ପ୍ରକାଶ ବେହେରାଙ୍କ ଏତଲାରେ ୧୪୨/୨୬ରେ ମାମଲା ରୁଜୁ କରାଯାଇ ପ୍ରଥମରୁ ପୁଲିସ ଶୁଭଶ୍ରୀ ଉପରେ ସନ୍ଦେହ ଆରମ୍ଭ କରି ତାକୁ ଅଟକ ରଖିଥିଲା। ପଚରାଉଚରା ପରେ ସତ ପଦାକୁ ଆସିଥିଲା। ଏହି ଘଟଣାରେ ୫ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବା ସହ ସାଇବର ପୁଲିସର ସାହାଯ୍ୟ ନିଆଯାଇଥିଲା। ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଖୁବଶୀଘ୍ର ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର କରାଯାଇ ଦଣ୍ଡବିଧାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏସ୍‌ପି ୟଶପ୍ରତାପ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ଯାଜପୁର ଥାନା ଅଧିକାରୀ ଶରତ କୁମାର ପାତ୍ର ଉପସ୍ଥିତ ଥିଲେ।