ଅବୈଧ ଯାନ ଫୁଲ ସ୍ପିଡରେ, ପ୍ରଶାସନ ସ୍ଲୋ ମୋସନରେ।ଆଇନ୍ ଅଛି କିନ୍ତୁ କାମ କରୁନି

ଚୌଦ୍ଵାର ୧୬/୪ (ଶିବବ୍ରତ ଦାସ ): କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏବେ ଚମକି ଦେବା ଭଳି ଚିତ୍ର ସାମ୍ନାକୁ ଆସୁଛି। ଦିନ ଦି ପ୍ରହରେ ରାସ୍ତା ଉପରେ ନିର୍ଭୟରେ ଚାଲୁଛି ବିନା ନମ୍ବର ପ୍ଲେଟ୍ ଯାନ। ନାହିଁ କାଗଜପତ୍ର, ନାହିଁ ପଲ୍ୟୁସନ୍ ସାର୍ଟିଫିକେଟ୍ ତଥାପି ରୋକ ନାହିଁ, ଭୟ ନାହିଁ। ପୁରୁଣା ସ୍କୁଟର ଇଞ୍ଜିନକୁ ଟଲିରେ ଲଗାଇ କବାଡ଼ିଆ ସାମଗ୍ରୀ ବୁହାଯାଉଥିବା ଅସୁରକ୍ଷିତ ଯାନଗୁଡ଼ିକ ଟାଙ୍ଗୀଚୌଦ୍ୱାର ଅଞ୍ଚଳରେ ଖୁଲମଖୁଲା ଚଳାଚଳ କରୁଛି। ଏହା କେବଳ ଆଇନକୁ ଅବମାନ ନୁହେଁ, ସାଧାରଣ ଲୋକଙ୍କ ଜୀବନକୁ ସିଧାସଳଖ ବିପଦରେ ପକାଉଛି। ସବୁଠାରୁ ବଡ଼ ପ୍ରଶ୍ନ ଏହି ଦୃଶ୍ୟ ସ୍ଥାନୀୟ ପ୍ରଶାସନ ଆଖିରୁ କିପରି ଲୁଚିଯାଉଛି? ପୋଲିସ ହେଉ କି ଆର.ଟି.ଓ ବିଭାଗ, କାହାରି ଭୟ ନଥିବାରୁ ବେଆଇନ ଚାଳକମାନେ ଆଉ ଅଧିକ ଦୁସ୍ସାହସିକ ହୋଇଯାଇଛନ୍ତି। ଏପଟେ ରାତି ପାହିଲେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ ନିକଟରେ ଥିବା ଟୋଲ ପ୍ଲାଜାରେ ପରିବହନ ବିଭାଗ ଗାଡ଼ି ଯାଞ୍ଚରେ ବ୍ୟସ୍ତ। ବାହାର ରାଜ୍ୟର ଯାନ ଉପରେ କଡ଼ା ନଜର କିନ୍ତୁ ନିଜ ଅଞ୍ଚଳରେ ଚାଲୁଥିବା ଏହି ଅବୈଧ ଓ ଅସୁରକ୍ଷିତ ଯାନଗୁଡ଼ିକ ଉପରେ କେବେ ପଡ଼ିବ ଦୃଷ୍ଟି? ଦୁର୍ଘଟଣା ଘଟିଲେ ଦାୟୀ କିଏ? ସେଥିପାଇଁ ପ୍ରଶାସନ ପାଖରେ କିଛି ସ୍ପଷ୍ଟ ଉତ୍ତର ଅଛି କି? ନା ଏହା ସମସ୍ତଙ୍କ ପାଇଁ ଅନୁତ୍ତରିତ ପ୍ରଶ୍ନ ହେଇ ରହିଯିବ? ଏବେ ଦେଖିବାକୁ ରହିଲା! ପ୍ରଶାସନ ନିଦ୍ରା ଭଙ୍ଗ କରି କଠୋର ପଦକ୍ଷେପ ନେବ ନା ଏଭଳି ଅବ୍ୟବସ୍ଥା ଚାଲିଥିବ ଓ ସାଧାରଣ ଲୋକଙ୍କ ସୁରକ୍ଷା ସଦା ପ୍ରଶ୍ନରେ ରହିବ?