
ଭଞ୍ଜନଗର ୧୬/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କ ପୁଣି ଗୁରୁବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ପାର୍କ ଦୈନିକ ସକାଳ ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ପାର୍କ ଭିତରକୁ ଦୈନିକ ୨୦୦ ରୁ ୩୦୦ ଲୋକଙ୍କୁ ମନୋରଞ୍ଜନ ପାଇଁ ଛଡ଼ାଯିବ। ଏବାବଦରେ ଜଣେ ପର୍ଯ୍ୟଟକଙ୍କୁ ପ୍ରବେଶ ଶୁଳ୍କ ୨୦୦ ଟଙ୍କା ରଖାଯାଇଛି। ୨୦୦ ଟଙ୍କାରେ ଜଣେ ୫ ଘଣ୍ଟା ୱାଟର ପାର୍କ ଭିତରେ ମଜା ଉଠାଇ ପାରିବେ। ଏହାପରେ ପର୍ଯ୍ୟଟକ ମାନେ ଚାହିଁଲେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିଦର୍ଶନ କରିପାରିବେ। ପ୍ରତି ସୋମବାର ପାର୍କ ବନ୍ଦ ରହିବ। ଆଜି ପାର୍କ ପୁଣି ଖୋଲିବା ପରେ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ପାର୍କରେ ଭାସମାନ ପୁଲ୍ ସହ ସ୍ଲାଇଡିଂ ପୁଲ୍, ରେନ୍ବୋ ଏରିଆ, ପାଣିଖସଡ଼ା ଓ ପିଲାମାନଙ୍କ ପାଇଁ ପାଣିରେ ଖେଳିବା ଓ ମନୋରଞ୍ଜନ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏଥିସହ ପାର୍କ ଭିତରେ ଲନ୍ ସହ ବସି ପ୍ରାକୃତିକ ପରିବେଶର ମଜା ନେବା ପାଇଁ ବ୍ୟବସ୍ଥା ରହିଛି।