
ଗଜପତି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ଯ, ଗଜପତି ଜିଲ୍ଲା ପ୍ରତିନିଧି) ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ରା.ଉଦୟଗିରି ଅବକାରୀ ଓଆଇସି ଏନ. ତ୍ରୀପତି ରାଓ, ମୋହନା ଅବକାରୀ କର୍ମଚାରୀ ଓ ଜିଲ୍ଲା ଭ୍ରାମ୍ୟମାଣ ଦଳ ସଦଳବଳେ ଚଢ଼ାଉ କରି ମହେନ୍ଦ୍ରଗଡ଼ ନିକଟ ନାୟାରା ପେଟ୍ରୋଲ ପମ୍ପ ରାସ୍ତାରୁ ୧୮ କ୍ୱିଣ୍ଟାଲ ଭାଙ୍ଗ ଓ ଗାଡ଼ିକୁ ଜବତ କରିଥିବା ବେଳେ ଚାଳକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନା ପ୍ରକାରେ ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ମହିନ୍ଦ୍ର କରାଡ଼ (୨୬) ଏକ ଭ୍ୟାନ ଓଡ଼ିଠ୨ବିକେ୪୯୯୩ ଯୋଗେ ଛେଲାଗଡ଼ ଗାଁରୁ ବାହାରି ମହେନ୍ଦ୍ରଗଡ଼ ଗାଁ ନିକଟ ପେଟ୍ରୋଲ ପମ୍ପ ରାସ୍ତା ଦେଇ ବ୍ରହ୍ମପୁର ଅଭିମୁଖେ ଭାଙ୍ଗ ନେଇ ଯାଉଥିବା ବେଳେ ଅବକାରୀ ଟିମ ଚଢ଼ାଉ କରିଥିଲା । ଜରି ଅଖା ମଧ୍ୟରେ ଭର୍ତ୍ତି ହୋଇଥିବା ଭାଙ୍ଗକୁ ଓଜନ କରିବାରୁ ତାହା ୧୮ କ୍ୱିଣ୍ଟାଲ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ମାଫିଆ କୁ କୋର୍ଟ ଚାଲାଣ କରାଯିବା ସହ ଗାଡ଼ିକୁ ଜବତ କରାଯାଇଛି ।