ଚବିଶି ବର୍ଷ ଶୋଇବା ପରେ ନିଦ ଭାଙ୍ଗୁଛି

ଚୌଦ୍ଵାର (ଶିବବ୍ରତ ଦାସ ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡିର ଚିନ୍ତା ଏବେ ଏମିତି ଭାବେ ଫୁଟିଉଠିଛି ଯେ, ରାସ୍ତା ଉପରେ ହିଁ ଆରମ୍ଭ ହୋଇଗଲା “ଶାନ୍ତି ସ୍ଥାପନ”ର ଧସ୍ତାଧସ୍ତି ପର୍ବ। କଟକ ଜିଲ୍ଲା ବିଜେଡି ପକ୍ଷରୁ ଡିଜିପି ଅଫିସ ଘେରାଉ ପୂର୍ବରୁ ହୋଇଥିଲା ବିଶାଳ ପଦଯାତ୍ରା। ହାତରେ ବ୍ୟାନର, ମୁହଁରେ ସ୍ଲୋଗାନ ଆଉ ମନରେ “ଆଇନଶୃଙ୍ଖଳା ବଞ୍ଚାଅ”ର ଜୋସ୍।
କିନ୍ତୁ ଡିଜିପି ଅଫିସ ନିକଟକୁ ପହଞ୍ଚିବା ମାତ୍ରେ ଦୃଶ୍ୟ ଏମିତି ବଦଳିଗଲା ଯେ, ସାଧାରଣ ଲୋକ ଭାବିଲେ — “ଏହା ପ୍ରତିବାଦ ନା ଆକ୍ସନ୍ ସିନ୍ ରିକ୍ରିଏସନ?” ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ଦେଖି ଲାଗୁଥିଲା, ଆଇନଶୃଙ୍ଖଳାର ଅବସ୍ଥା ନେଇ ଆଲୋଚନା ଠାରୁ “ଲାଇଭ୍ ପ୍ରାକ୍ଟିକାଲ୍” ଅଧିକ ଚାଲିଛି। ରାଜ୍ୟରେ ଶାନ୍ତି ଫେରାଇବା ଦାବି କରୁଥିବା ନେତାମାନେ ଯେତେବେଳେ ନିଜେ ବାରିକେଡ୍ ହଲାଇବାରେ ବ୍ୟସ୍ତ ଥିଲେ, ସେତେବେଳେ ସାଧାରଣ ଲୋକ କହୁଥିଲେ “ନାରାରେ ଶାନ୍ତି, କାର୍ଯ୍ୟରେ କୁସ୍ତି!” ଏପଟେ ରାଜନୀତିରେ ଆଇନଶୃଙ୍ଖଳା ନାମରେ ଚାଲିଛି ଦୋଷାରୋପର ରାଜନୀତି, ସେପଟେ ସାଧାରଣ ଲୋକ ଭାବୁଛନ୍ତି ଯଦି ପ୍ରତିବାଦରେ ଏତେ ଧସ୍ତାଧସ୍ତି, ତେବେ ରାଜ୍ୟର “ଶାନ୍ତି ମିଶନ” କେମିତି ହେବ ଭଗବାନ୍‌ ହିଁ ଜାଣନ୍ତି।