ବୁଗୁଡ଼ା: ଘରେ ଓ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ

ବୁଗୁଡ଼ା,୧୬/୦୫(ସୋରେନ କୁମାର ପ୍ରଧାନ):ପବିତ୍ର ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ବୁଗୁଡ଼ା ଅଞ୍ଚଳର ଘରେ ଘରେ ଏବଂ ବିଭିନ୍ନ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଧବା ନାରୀ ମାନଙ୍କ ପକ୍ଷରୁ ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରାଯାଉଥିବା ବେଳେ ବ୍ରତକାରିଣୀ ମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ନତୁବା ସାମୁହିକ ମନ୍ଦିର କିମ୍ବା ଅନ୍ୟ କୌଣସି ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କୁ ଭକ୍ତିପୂତ ଭାବେ ପୂଜା କରିଥିଲେ।ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କାଟି ଗଣପତି ଘଟ ସ୍ଥାପନା ସାଙ୍ଗକୁ ଶିଳପୁଆକୁ ଜଳରେ ସ୍ନାନ କରାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ଵାରା ସଜାଇ ଲକ୍ଷ୍ମୀନାରାୟଣ ରୂପେ ସ୍ଥାପନ କରି ଧୂପ,ଦୀପ,ଗନ୍ଧ,ପୁଷ୍ପ ଅର୍ପଣ ପୂର୍ବକ ସାବିତ୍ରୀ ବ୍ରତ ପାଳନ କରିଥିଲେ।ପାଚିଲା ଆମ୍ବ,ପଣସ,ସପୁରୀ, ତାଳସଜ,ନଡ଼ିଆ,କଦଳୀ ପ୍ରଭୃତି ନାନା ଜାତିର ଫଳ ଓ ଧୁଆ ମୁଗ ନୈବେଦ୍ୟ ରୂପେ ବଢ଼ାଯାଇ ପୁରୋହିତଙ୍କ ଦ୍ୱାରା ସାବିତ୍ରୀ ବ୍ରତ କଥା ଶ୍ରବଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ବ୍ରତ ପାଳନକାରିଣୀ ମାନେ ଆନନ୍ଦ ମନରେ ପୂଜା ସାରି ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେଇଥିଲେ।