ଅଭିନେତା ଅରିନ୍ଦମ ନାମରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଲେ ସାମ୍ବାଦିକ

ଚୌଦ୍ଵାର (ଶିବବ୍ରତ ଦାସ) :ସିନେମାର ପରଦାରେ ନାୟକ ଭାବେ ତାଳି ପାଇଥିବା ବ୍ୟକ୍ତି, ବାସ୍ତବ ଜୀବନରେ କିନ୍ତୁ ନିଜ କଥାବାର୍ତ୍ତା ପାଇଁ ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଇଛନ୍ତି। ଅଭିନେତା ତଥା ଟାଙ୍ଗୀ-ସାଲେପୁର ବିଜେପି ନେତା ଅରିନ୍ଦମ ରାୟ ଙ୍କ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ କରାଯାଇଥିବା କଟୁ ମନ୍ତବ୍ୟ ଏବେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନା ଅନୁସାରେ,ତ୍ ସାମ୍ବାଦିକ ଓ ଖବର ପ୍ରସାରଣ ସଂସ୍ଥାଙ୍କୁ ଲକ୍ଷ୍ୟ କରି ଅରିନ୍ଦମଙ୍କ ମନ୍ତବ୍ୟରେ ମର୍ଯ୍ୟାଦାର ସୀମା ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆସିଛି। ଯେଉଁ ସାମ୍ବାଦିକମାନେ ଦିନରାତି ପରିଶ୍ରମ କରି ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନଜରକୁ ଆଣନ୍ତି, ସେହି ମାନଙ୍କୁ “ଚାରେଣି-ଆଠଣି” ସହିତ ତୁଳନା କରାଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନେ ଏକତ୍ରିତ ହୋଇ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି—ପରଦାରେ ନାୟକ ହେବା ସହଜ, କିନ୍ତୁ ବାସ୍ତବ ଜୀବନରେ ଦାୟିତ୍ୱବାନ ନେତା ହେବା କେତେ କଷ୍ଟକର? ଲୋକଙ୍କ ସମସ୍ୟାକୁ ଉଠାଇଥିବା ସାମ୍ବାଦିକଙ୍କୁ ଅପମାନ କରିବା କି ନେତୃତ୍ୱର ନୂଆ ପରିଚୟ? ଅଞ୍ଚଳରେ ଏବେ ଚର୍ଚ୍ଚା
“ଯିଏ ଅଭିନୟରେ ତାଳି ମାଗୁଥିଲେ, ସେଇଁ ଏବେ କଥାରେ ତୀର ଛାଡୁଛନ୍ତି!” ଏହି ଘଟଣା ପରେ ସାଧାରଣ ଲୋକମାନଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ଜନସେବାର ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ମୁଖରୁ ଏଭଳି ମନ୍ତବ୍ୟ କି ଉଚିତ? ପରଦାରେ ଡାଏଲଗ୍ ହିଟ୍ ହୋଇପାରେ,କିନ୍ତୁ ବାସ୍ତବରେ ଶବ୍ଦ ଭୁଲ୍ ହେଲେ, ଚରିତ୍ର ଫ୍ଲପ୍ ହୋଇଯାଏ!