ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛି ମୋହନା ପୋଲିସ

ମୋହନା ୨୧/୦୫ (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ଯ, ଓଡିଶା ଟୁଡେ): କିଛିଦିନ ହେଲା ଗଜପତି ଜିଲା ଗଞ୍ଜେଇ ମୁକ୍ତ ଅଭିଯାନରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଥିବାବେଳେ ପୁଣି ଗଞ୍ଜେଇ ଥିବା ଗାଡିକୁ ମାଡି ବସିଛି ମୋହନା ପୋଲିସ । ପୋଲିସ ଗାଡିକୁ ଦେଖି ଗଞ୍ଜେଇ ଥିବା ଏକ ମେକ୍ସ ପିକଅପ ରାସ୍ତାରେ ରଖି ନିକଟସ୍ଥ ଜଙ୍ଗଲ ଭିତରକୁ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଥିଲେ। ସୂଚନା ପ୍ରକାରେ ମୋହନା ଥାନା ସବଇନ୍‌ସପେକ୍ଟର ପଙ୍କଜ ଦାସ ଓ ଟିମ ପାଟ୍ରୋଲିଂ କରୁଥିବା ସମୟରେ ଅପର ପାର୍ଶ୍ୱ ଅନ୍ତରବା ପଟୁ ମୋହନାକୁ ଆସୁଥିବା ଏକ ମେକ୍ସ ପିକଅପ ( ଓଡି ଠ୨ବିସି ୫୫୩୧ ) ଅଠର ନଳା ନିକଟରେ ଗାଡିକୁ ଛାଡି ବଣକୁ ଦୌଡ଼ି ପଳାଇଥିଲେ। ପୋଲିସ ସନ୍ଦେହରେ ଗାଡିକୁ ଯାଞ୍ଚ କରିବାବେଳେ ୪ ଗୋଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜାଣିଥିଲା । ସ୍ଥାନୀୟ ମାଜିଷ୍ଟ୍ରେଟ ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯିବା ପରେ ୧୦୦ କିଲୋ ୪୦୦ ଗ୍ରାମ ଥଥିବା ଜଣାପଡିଥିଲା। ଯାହା କି ବଜାର ମୂଲ୍ୟର ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର କହିଛନ୍ତି।