
ପୁରୁଷୋତ୍ତମପୁର ୨୨/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି-ଶିକୁଳା ରାସ୍ତାର ଲଡକାପଲ୍ଲୀ ନିକଟରେ ଶୁକ୍ରବାର ଘଟିଥିବା ଏକ ଭୟାବହ ସଡକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ଅଟୋ (ଓଡି ୩୨ଇ ୪୫୩୬) ସୋରଳ ରୋଡ ଏରେଣ୍ଡ୍ରା ଗ୍ରାମରୁ ସିଂହାସନୀ ପୀଠକୁ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ବିପରୀତ ଦିଗରୁ କୋଦଳାରୁ ପୁରୁଷୋତ୍ତମପୁର ଆସୁଥିବା “ଡାଇମଣ୍ଡ” ନାମକ ଯାତ୍ରୀବାହୀ ବସ୍ (ଓଡି ୦୪ ଏସ ୫୯୯୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ଗୋଳନ୍ଥରା ଥାନା ଏରେଣ୍ଡ୍ରା ଗ୍ରାମର ମଲ୍ଲୀ ବେହେରା (୭୫), ନରସୁ ବେହେରା (୪୩), ଲିଳାବତୀ ବେହେରା (୪୫), ରତନୀ ବେହେରା (୪୬) ଓ ପୁରୁଷୋତ୍ତମପୁରର ସନି ବେହେରା (୧୦), କିରଣ ବେହେରା (୧୦)।
ଆହତମାନଙ୍କ ମଧ୍ୟରେ ବାବୁ ପ୍ରଧାନ, ଅଳକା ବେହେରା, ଭାଗ୍ୟ ବେହେରା ଓ ଝିଲି ବେହେରା ଥିବା ଜଣାପଡିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ ବସ୍ ଚାଳକ ପୁରୁଷୋତ୍ତମପୁର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।