ମିଶନ ଶକ୍ତି ଏସଏଚଜି ବ୍ୟାଙ୍କ ଲିଙ୍କେଜରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ।

ନୂଆପଡ଼ା, ତା. ୨୧/୦୫ (ପରମେଶ୍ୱର ମେହେର): ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଳମ୍ବନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ପୁନର୍ବାର ଏକ ନୂତନ ସଫଳତା ହାସଲ କରିଛି। ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୫-୨୬ ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ, ଏସଏଚଜି ବ୍ୟାଙ୍କ ଲିଙ୍କେଜ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।

ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୫୪୪୦ଟି ଏସଏଚଜିଙ୍କୁ ବ୍ୟାଙ୍କ ଲିଙ୍କେଜ ଦେବା ଲକ୍ଷ୍ୟ ରହିଥିବାବେଳେ ଏପର୍ଯ୍ୟନ୍ତ ୬୧୪୮ଟି ଏସଏଚଜିଙ୍କୁ ବ୍ୟାଙ୍କ ଲିଙ୍କେଜ ପ୍ରଦାନ କରାଯାଇଛି। ଏହା ଲକ୍ଷ୍ୟର ୧୧୩ ପ୍ରତିଶତ ସଫଳତାକୁ ସୂଚିତ କରୁଛି। ସେହିପରି ଆର୍ଥିକ ଲକ୍ଷ୍ୟ ରୂପେ ୨୨୧୫୪ ଲକ୍ଷ ଟଙ୍କା ଥିଲାବେଳେ ୩୧୬୩୯ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ହୋଇଥିବାରୁ ଜିଲ୍ଲା ୧୪୨ ପ୍ରତିଶତ ଆର୍ଥିକ ସଫଳତା ହାସଲ କରି ରାଜ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛି।

ଏହି ସଫଳତା ଦ୍ୱାରା ନୂଆପଡ଼ା ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଓ ଜୀବିକା ଉନ୍ନୟନ କ୍ଷେତ୍ରରେ ହେଉଥିବା ସଫଳ ପ୍ରୟାସ ପ୍ରତିଫଳିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ୟାଙ୍କ, ମିଶନ ଶକ୍ତି ବିଭାଗ, ଓଡିଶା ଜୀବିକା ମିଶନ ଏବଂ ପ୍ରଶାସନର ସମନ୍ୱିତ ପ୍ରୟାସ ଫଳରେ ଏହି ଉଲ୍ଲେଖନୀୟ ସଫଳତା ମିଳିପାରିଛି।

ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ସଫଳତା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଏହା ସମସ୍ତଙ୍କ ନିରନ୍ତର ପରିଶ୍ରମ ଓ ଟିମ୍‌ୱର୍କର ପ୍ରତିଫଳ। ସମସ୍ତ ବ୍ୟାଙ୍କର୍ସ ଓ ଓଏଲଏମ୍ ଟିମ୍‌ଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ପାଇଁ ଅନେକ ଅଭିନନ୍ଦନ।”

ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ କହିଛନ୍ତି ଯେ, “ ଜିଲ୍ଲାପାଳ ଏବଂ ସିଡିଓ କମ୍‌ ଇଓ, ଜିଲ୍ଲା ପରିଷଦଙ୍କ ସମୟୋପଯୋଗୀ ମାର୍ଗଦର୍ଶନ ସହିତ ନୋଡାଲ ଅଫିସର, ବିପିସି ଏବଂ ସମସ୍ତ ବ୍ୟାଙ୍କର୍ସଙ୍କ ସମର୍ପିତ ଅବଦାନ ଫଳରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ଏସଏଚଜି ବ୍ୟାଙ୍କ ଲିଙ୍କେଜରେ ପ୍ରଥମ ସ୍ଥାନ ହାସଲ କରିପାରିଛି।”

ମିଶନ ଶକ୍ତି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ସେବା, ବ୍ୟାଙ୍କ ଋଣ ଓ ଜୀବିକା ସୁଯୋଗ ସହ ଯୋଡ଼ି ମହିଳା ସଶକ୍ତିକରଣକୁ ଗତିଶୀଳ କରୁଛି।