ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଗୋଷ୍ଠୀ ସଙ୍ଘର୍ଷ ଉଭୟ ଗୋଷ୍ଠୀର ୪ ଗିରଫ। ବୋମା ମାଡ଼ ଘଟଣାର ଖୋଳତାଡ଼ ଜାରି

ଭଞ୍ଜନଗର ୨୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଚାଲିଥିବା ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସମୟରେ ଦୁଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ୧୭ ତାରିଖ ରାତିର ଏହି ହିଂସାକାଣ୍ଡ ମାମଲାରେ ପୋଲିସ ଉଭୟ ପକ୍ଷରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହା ସହିତ ସହରରେ ଘଟିଥିବା ବୋମାମାଡ଼ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଭଞ୍ଜନଗର ସହରରେ ଯାତ୍ରା ମାହୋଲ ଥିବା ବେଳେ ୧୭ ତାରିଖ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ରୂପ ନେଇଥିଲା ବିବାଦ। ଏହି ଘଟଣାରେ ୧୮ ତାରିଖ ଦିନ ଉଭୟ ପକ୍ଷର ଏତଲା କ୍ରମେ ପୋଲିସ ୪ ଟି ପୃଥକ ମାମଲା ରୁଜୁ କରିଥିଲା। ଏହି ମାମଲାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଶନିବାର ଦିନ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଇମୁ,ଦୀପକ ମହାନ୍ତି, ଅରୁଣ ବେହେରା ଓ ଜସ୍ଵୟନ୍ତ ସ୍ଵାଇଁ। ଏହି ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯାଇଥିବା ନେଇ ପୋଲିସ ଏକ ପ୍ରେସ ବିବୃତିରେ ସୂଚନା ଦେଇଛି। ଅପରପକ୍ଷରେ ଗୁରୁବାର ରାତିରେ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ, ଏହି ବୋମାମାଡ଼ ସହ ପୂର୍ବ ଗୋଷ୍ଠୀ ସଂଘର୍ଷର ସମ୍ପର୍କ ଥିବା ଆଶଙ୍କା କରାଯାଉଛି। ତେବେ ବାକି ଅଭିଯୁକ୍ତମାନେ ଗିରଫ ହେବା ପରେ ହିଁ ସତ୍ୟତା ସାମ୍ନାକୁ ଆସିବ। ଗୋଷ୍ଠୀ ସଂଘର୍ଷ ଏବଂ ବୋମାମାଡ଼ ଭଳି ସମସ୍ତ ୫ ଟି ମାମଲାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଅଭିଯୁକ୍ତ ସାମିଲ ଥିବା ଅନୁମାନ କରାଯାଉଛି।
ଗଞ୍ଜାମ ଜିଲ୍ଲାରେ ବଢୁଥିବା ଅପରାଧ ଓ ସହରରେ ଆତଙ୍କ ସୃଷ୍ଟି କରିଥିବା ଏହି ଘଟଣାକୁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ସମସ୍ତ ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଏବଂ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ସଲାଖ ପଛକୁ ଯିବେ ବୋଲି ସୂଚନା ମିଳିଛି।