ଯାଜପୁରର ବିଭିନ୍ନ ବ୍ଲକରେ ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ

ଯାଜପୁର, (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ ପ୍ରକ୍ରିୟାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଆଜି ସୁକିନ୍ଦା, ବରୀ, ଧର୍ମଶାଳା, ବିଂଝାରପୁର, ଯାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି, ରସୁଲପୁର, ଦଶରଥପୁର, କୋରେଇ, ବରୀ, ବିଂଝାରପୁର, ଯାଜପୁର ବ୍ଲକ, ଯାଜପୁର ମୁନିସିପାଲିଟିରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ଏବଂ ବିଏଲଓ ସୁପରଭାଇଜରମାନଙ୍କ ଏସଆଇଆର ଭୋଟର ତାଲିକା ସଂଶୋଧନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏସଆଇଆର୍ ସମୟ ସାରଣୀ, ଏନୁମେରେସନ୍ ଫର୍ମ ବିତରଣ ଓ ସଂଗ୍ରହ, ବିଏଲଓ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ଵ, ଫର୍ମ ପୂରଣ ପ୍ରକ୍ରିୟା ଇତ୍ୟାଦି ସମ୍ପର୍କରେ ତାଲିମ ଦିଆଯାଇଛି। ଏହାସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶିକା କ୍ରମେ ଚଳିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ନିୟମାବଳୀ ଅବଲମ୍ବନ କରି କାର୍ଯ୍ୟ ସମ୍ପାଦନ କରିବାକୁ ବିଏଲଓମାନଙ୍କୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବିଡ଼ିଓ, ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।