
ନୂଆପଡ଼ା, ତା. ୨୭/୦୫ (ପରମେଶ୍ୱର ମେହେର ): ନୂଆପଡ଼ା-୭୧ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ଅନ୍ତର୍ଗତ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ଆଜି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନୂଆପଡ଼ା ଓ କୋମନା ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ସୁର୍ମି ସୋରେନଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ନୂଆପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ରୋହିତ ଭୋଇ, ଡେପୁଟି ଜ଼ିଲ୍ଲାପାଳ (ନିର୍ବାଚନ) ଶେଖ ନସୀମ, ଏଇଆରଓ ତଥା ତହସିଲଦାର ନୂଆପଡ଼ା ଲଲାଟେନ୍ଦୁ ଦଣ୍ଡସେନା, ଏଇଆରଓ ତଥା କୋମନା ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଏଇଆରଓ ତଥା ତହସିଲଦାର କୋମନା ଉପସ୍ଥିତ ରହିଥିଲେ ।
ପ୍ରଶିକ୍ଷଣରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ସର୍ଭେ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଦିଗଦର୍ଶନ ପ୍ରଦାନ କରାଯାଇଥିଲା । ସୁସ୍ଥ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଆସନ୍ତା ମେ ୩୦ ତାରିଖରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ ପରିଚାଳିତ ହେବ ବୋଲି ସୂଚନା ଦିଆଯାଇଥିଲା ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚନମଣ୍ଡଳୀର ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଓ ବିଏଲଓ ସୁପରଭାଇଜରମାନେ ଅଂଶଗ୍ରହଣ କରିଥିଲେ ।