ଚୌଦ୍ୱାରରେ ଅପରାଧୀଙ୍କ ଦାଦାଗିରିକୁ ପୋଲିସର ଜବାବ।ମାଡ଼ ମାରି ଲୁଟ୍ ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଚୌଦ୍ଵାର ପୋଲିସ।

ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ଵାର ଅଞ୍ଚଳରେ ଦିନକୁ ଦିନ ବଢୁଥିବା ଅପରାଧ ଘଟଣା ମଧ୍ୟରେ ଆଉ ଗୋଟିଏ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ମାଡ଼ ମାରି ମୋବାଇଲ ଓ ନଗଦ ଟଙ୍କା ଲୁଟିନେବା ଘଟଣାରେ ଚୌଦ୍ଵାର ପୋଲିସ ତ୍ୱରିତ ପଦକ୍ଷେପ ନେଇ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଚୌଦ୍ଵାର ଥାନା ଅନ୍ତର୍ଗତ ଗୌସ ନଗର ଅଞ୍ଚଳର ଅସିତ୍ ଦତ୍ତ ଚାରବାଟିଆରୁ ମଙ୍ଗୁଳି ଯାଉଥିବା ବେଳେ ମୁଣ୍ଡମାଳ ଅଞ୍ଚଳର ସନତ ପଣ୍ଡା ଓରଫ ସନିଆ ଏବଂ ଗୋପାଳ ନଗରର ଦିଲୁ ମହାନଦିଆ ତାଙ୍କୁ ଅଟକାଇଥିଲେ। ପରେ ଦୁଇଜଣ ମିଶି ତାଙ୍କୁ ମାଡ଼ ମାରିବା ସହିତ ମୋବାଇଲ ଫୋନ ଓ ୪,୩୭୦ ଟଙ୍କା ଲୁଟି ନେଇଥିଲେ। ଏନେଇ ଗତକାଲି ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ପୋଲିସ ତତକ୍ଷଣାତ୍ ତଦନ୍ତ ଆରମ୍ଭ କରି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଲୁଟିଥିବା ମୋବାଇଲ ଫୋନକୁ ପୋଲିସ ଜବତ କରିବାରେ ସଫଳ ହୋଇଛି। ଏହାସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ପୋଲିସ ସୂତ୍ରରୁ ପ୍ରକାଶ, ଗିରଫ ହୋଇଥିବା ଉଭୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଚୌଦ୍ଵାର ଥାନାରେ ଏକାଧିକ ମାମଲା ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି।