
ବ୍ରହ୍ମପୁର, ୨୮/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗତକାଲି ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ଗାଁରେ ଚାଲିଥିବା ଠାକୁରାଣୀ ଯାତ୍ରା ସମୟରେ ଦୁଇଟି ନାଟକ ଦଳ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଗିରଫ ହୋଇଛନ୍ତି। ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି।୨୮/୦୫/୨୬ ତାରିଖ ରାତିରେ ମାର୍କଣ୍ଡି ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିଲା। ସେଠାରେ ଏଏସଆଇ ଆର.ସି. ମୁଦୁଲିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ଫୋର୍ସ ଡ୍ୟୁଟିରେ ଥିଲେ। ସବୁକିଛି ଶାନ୍ତିପୂର୍ଣ୍ଣ ଚାଲିଥିବା ବେଳେ ରାମପଲ୍ଲୀ ଓ ଗୋବିନ୍ଦପୁର ଗାଁର ଦୁଇଟି ମହାଭାରତ ନାଟକ ପାର୍ଟି ପାଖାପାଖି ମଞ୍ଚରେ ପ୍ରଦର୍ଶନ କରୁଥିଲେ। ହଠାତ୍ ଦୁଇ ପାର୍ଟିର କଳାକାରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଉଗ୍ରରୂପ ନେଇଥିଲା। ପରେ ଉଭୟ ପକ୍ଷ ପରସ୍ପର ଉପରକୁ ପଥର, କାଚ ବୋତଲ, ଇଟା ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଡ୍ୟୁଟିରେ ଥିବା ପୋଲିସ ଓ ଗାଁ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ ଏବଂ ବାଧା ଦେଲେ ପଥର ଫିଙ୍ଗି ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏହି ସଂଘର୍ଷରେ ଡଜନେରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାମପଲ୍ଲୀ ପାର୍ଟି ପକ୍ଷରୁ ବାଣ ଫିଙ୍ଗାଯାଇଥିଲା ଯାହା ବିସ୍ଫୋରଣ ହୋଇଥିଲା।
ପୋଲିସ ଘଟଣାସ୍ଥଳରୁ ପଥର, ଠେଙ୍ଗା, ଇଟା ଖଣ୍ଡ ଓ ବୋମାର ଅବଶେଷ ଜବତ କରିଛି। ଏହି ମାମଲାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି। ରାମପଲ୍ଲୀ ଗାଁ, ଚମାଖଣ୍ଡି ଥାନା ରାକେଶ କୁମାର ସ୍ୱାଇଁ, ପଞ୍ଚାନନ ସ୍ୱାଇଁ, ଗୁଣ୍ଡିଚା ସ୍ୱାଇଁ, ଭଗୀରଥି ସ୍ୱାଇଁ, ଦୀବାନ କୁମାର ସ୍ୱାଇଁ।
ଗୋବିନ୍ଦପୁର ଗାଁ, ଶେରଗଡ଼ ଥାନା: ବୃନ୍ଦାବନ ସ୍ୱାଇଁ, ନିର୍ମଳ ପ୍ରଧାନ, ମାନସ ସ୍ୱାଇଁ, କାହ୍ନୁ ପ୍ରଧାନ, ପିଣ୍ଟୁ ପାତ୍ର।
ଗୋଳନ୍ଥରା ଥାନା କେସ୍ ନଂ 195/28.05.2026 ରେ BNS ଧାରା 221, 121, 296(b), 115(2), 117(2), 118(2), 109, 3(5) ସହ ବିସ୍ଫୋରକ ଆଇନ୍ ଧାରା 9 ରେ ମାମଲା ରୁଜୁ ହୋଇଛି ଆହତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନ୍ତର କରାଯାଇଛି। ଗ୍ରାମବାସୀଙ୍କ ସହାୟତାରେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ବର୍ତମାନ ପରିସ୍ଥିତି ସ୍ୱାଭାବିକ ଅଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।