
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ଭାଲୁବସା ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀ ମୁର୍ମୁ । ନିଜ ଫୁଟବଲ ପ୍ରତିଭା ପାଇଁ ସେ ଗୋଆର ପଂଜିମ୍ ସ୍ଥିତ ପ୍ରତିଷ୍ଠିତ ‘ସେସା ଫୁଟବଲ୍ ଏକାଡେମୀ’ (ଏସଏଫଏ) ରେ ଚାରି ବର୍ଷିଆ ଆବାସିକ ସ୍କଲାରସିପ୍ ପାଇଛନ୍ତି। ଭାରତର ଶ୍ରେଷ୍ଠ ଯୁବ ଫୁଟବଲ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁଖ୍ୟ ଧାରାର ଖେଳାଳି ଭାବେ ଗଢ଼ିତୋଳିବାରେ ଏହି ଏକାଡେମୀ ଏକ ପ୍ରମୁଖ ଅନୁଷ୍ଠାନ ଭାବେ ବେଶ୍ ପ୍ରତିଷ୍ଠିତ।
ତୃତୀୟ ଶ୍ରେଣୀରେ ପଢୁଥିବା ସମୟରୁ ହିଁ ଲକ୍ଷ୍ମୀ ଖେଳକୁଦ
ପ୍ରତି ଆଗ୍ରହୀ ଥିଲେ । ପରେ ତାଙ୍କ ଘରଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ବାଘୁଆପାଳ ଗ୍ରାସରୁଟ୍ ଫୁଟବଲ୍ ଟ୍ରେନିଂ ସେଣ୍ଟର’ ବିଷୟରେ ଜାଣିବା ପରେ ତାଙ୍କର ଫୁଟବଲ ପ୍ରତି ଆଗ୍ରହ ଓ ଭଲପାଇବା ଆହୁରି ବଢ଼ିଯାଇଥିଲା। ସେଠାରେ ଅନ୍ୟ ଝିଅମାନଙ୍କୁ ତାଲିମ ନେଉଥିବାର ଦେଖି ସେ ଅନୁପ୍ରାଣିତ ହୋଇଥିଲେ । ଏହାପରେ ସେ ନିଜ ପାଠପଢ଼ା ଏବଂ ଖେଳ ଉଭୟକୁ ଗୁରୁତ୍ୱ ଦେଇ ପ୍ରତିଦିନ କଠିନ ଅଭ୍ୟାସ କରୁଥିଲେ।
ତାଙ୍କ ସଫଳତାର ପ୍ରତିଟି ପାହାଚ ଚ୍ୟାଲେଞ୍ଜ ଭରା ଥିଲା। କ୍ୟାରିୟରର ପ୍ରାରମ୍ଭରେ ସ୍ଥାନୀୟ ଅଞ୍ଚଳରେ ଜଣେ ଝିଅ ପିଲା ହୋଇ ଫୁଟବଲ ଖେଳୁଥିବାରୁ ବେଶ୍ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ଲକ୍ଷ୍ମୀଙ୍କୁ ଲୁଚି ଲୁଚି ଖେଳିବାକୁ ପଡ଼ୁଥିଲା। ନିଜର ପୋଷାକ (ଜର୍ସି) ଓ ଖେଳ ପାଇଁ ସେ ସ୍ଥାନୀୟ ଲୋକଙ୍କ ଆକ୍ଷେପର ଶିକାର ହେଉଥିଲେ। କିନ୍ତୁ ତାଙ୍କର ଦୃଢ଼ ସଂକଳ୍ପ ଦ୍ଵାରା ଶେଷରେ ସେ ତାଙ୍କ ପିତା ରାମ ମୁର୍ମୁଙ୍କ ହୃଦୟ ଜିତିପାରିଥିଲେ। ସମାଜର ଅଙ୍ଗୁଳି ନିର୍ଦ୍ଦେଶ ସତ୍ତ୍ୱେ ସେ ଝିଅର ସବୁଠାରୁ ବଡ଼ ସାହସ ପାଲଟିଗଲେ। ଲକ୍ଷ୍ମୀଙ୍କ ଭାଗ୍ୟ ସେତେବେଳେ ବଦଳିଲା, ଯେତେବେଳେ ‘ସେସା ଫୁଟବଲ୍ ଏକାଡେମୀ’ର ଜାତୀୟ ସ୍କାଉଟ୍ (ପ୍ରତିଭା ଚୟନକାରୀ)ମାନେ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନିପାରିଲେ।
ଏହି ସଫଳତାରେ ଲକ୍ଷ୍ମୀ ଖୁସି ବ୍ୟକ୍ତ କରି କହିଛନ୍ତି, “ମତେ କୁହାଗଲା ଯେ ମୁଁ ଚାରି ବର୍ଷର ଆବାସିକ ସ୍କଲାରସିପ୍ ପାଇଁ ମନୋନୀତ ହୋଇଛି। ଏହା ଏକ ବଡ଼ ସୁଯୋଗ, ଏବଂ ମୁଁ ଚାହୁଁଛି ଯେ ଅନ୍ୟ ଝିଅମାନେ ମଧ୍ୟ ଜାଣନ୍ତୁ ଯେ ଯଦି ସେମାନେ ଖେଳ ପ୍ରତି ନିଜକୁ ଉତ୍ସର୍ଗ କରନ୍ତି ତେବେ ସେମାନେ ମଧ୍ୟ ଏପରି ସୁଯୋଗ ପାଇପାରିବେ।”
ଲକ୍ଷ୍ମୀ ଆସନ୍ତା ଜୁନ୍ ୧, ୨୦୨୬ ରେ ଏହି ଏକାଡେମୀରେ ଯୋଗଦେବେ। ସେଠାରେ ତାଙ୍କୁ ଶିକ୍ଷା, ବୃତ୍ତିଗତ ପ୍ରଶିକ୍ଷଣ, ରହିବା-ଖାଇବା, ଖେଳ ସରଞ୍ଜାମ, ମେଡିକାଲ୍ ଇନସୁରାନ୍ସ ଏବଂ ବାର୍ଷିକ ଘରକୁ ଯିବା ଆସିବା ପାଇଁ ଯାତ୍ରା ଖର୍ଚ୍ଚ ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତାଙ୍କର ଏହି ସଫଳତା ଟାଟା ଷ୍ଟିଲ୍ ଫାଉଣ୍ଡେସନର ଗ୍ରାସରୁଟ୍ କ୍ରୀଡ଼ା କାର୍ଯ୍ୟକ୍ରମ ଦ୍ଵାରା ସମ୍ଭବ ହୋଇପାରିଛି। ଯାହା ପାରମ୍ପରିକ ସାମାଜିକ ପ୍ରତିବନ୍ଧକକୁ ଦୂର କରି ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ଉତ୍ତମ ମାର୍ଗ ସୃଷ୍ଟି କରୁଛି। ଆଜି ଲକ୍ଷ୍ମୀ ଆଶାର ପ୍ରତୀକ ସାଜିଛନ୍ତି, ଏବଂ ପ୍ରମାଣ କରିଛନ୍ତି ଯେ ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ ଭାରତର ସବୁ ଗ୍ରାମାଞ୍ଚଳରୁ ଅସାଧାରଣ ପ୍ରତିଭା ବିକଶିତ ହୋଇପାରିବେ।