
ଭଞ୍ଜନଗର,୩୦/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପ୍ରାୟ ୧ ଘଣ୍ଟା ଧରି ହୋଇଛି। ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ଭାଙ୍ଗି ଯାଇଛି। କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ପଡ଼ିଯାଇଥିବା ଯୋଗୁଁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଏକାଧିକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ଭଞ୍ଜନଗର ଦମକଳ ବାହୀନି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗମନା ଗମନ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ରାସ୍ତା ଉପରେ ଗଛ ପଡ଼ିବା ଯୋଗୁଁ କିଛି ଘଣ୍ଟା ପାଇଁ ଗମନା ଗମନ ବ୍ୟାହତ ହୋଇଛି। ଏଥିସହ କଣ୍ଟେଇ ପଲ୍ଲୀ ନିକଟରେ ଏକ କାର ଗାଡ଼ି ଉପରେ ଗଛ ପଡ଼ିଯାଇଛି। ଏହାଦ୍ୱାରା ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି।
ବର୍ଷା ଛାଡ଼ିବା ପରେ ଟାଟା ପାୱାର କର୍ମଚାରୀ ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ କାମ ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁଭଳି ଭାବେ କ୍ଷତି ହୋଇଛି ବିଦ୍ୟୁତ୍ ସେବା ସ୍ବାଭାବିକ ହେବାକୁ କିଛି ଘଣ୍ଟା ଲାଗିଯିବ। ଅନ୍ୟପଟେ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି। ଲୋକେ ଗରମରୁ ରକ୍ଷା ପାଇଛନ୍ତି। ଏଥିସହ ଗଛକୁ ମଧ୍ଯ ପାଣି ମିଳିଯାଇଛି।