ଡବଲ ଇଂଜିନ ସରକାରରେ ଡବଲ ଅଧିକାରୀଙ୍କ ଆକ୍ରୋଶ ଅଙ୍ଗନବାଡି ସହାୟିକାଙ୍କ ଆଖିରେ ଲୁହ

ଚୌଦ୍ୱାର (ଶିବବ୍ରତ ଦାସ ) ଲୋକଙ୍କ ସରକାର, ଲୋକଙ୍କ ସେବା ଏବଂ ସ୍ୱଚ୍ଛ ଶାସନର ବଡ଼ ବଡ଼ ନାରା ମଧ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଇ.ସି.ଡି.ଏସ୍ କାର୍ଯ୍ୟାଳୟରୁ ଆସିଥିବା ଏକ ଘଟଣା ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଛି। ଜଣେ ଅଙ୍ଗନବାଡ଼ି ସହାୟିକା ଦୀର୍ଘ ୩୦ ମାସ ଧରି ନିଜ ପ୍ରାପ୍ୟ ଦରମା ପାଇନଥିବା ବେଳେ, ଦାୟିତ୍ୱରେ ଥିବା ବାବୁମାନେ ନିରବ ଦର୍ଶକ ସାଜି ବସିଥିବା ଅଭିଯୋଗ ହୋଇଛି।
ପ୍ରଶ୍ନ ଉଠୁଛି, ଏହି ନିରବତା ଅବହେଳା ନା ଇଚ୍ଛାକୃତ ଷଡଯନ୍ତ୍ର? ଜଣେ ଗରିବ ସହାୟିକା ମାସ ପରେ ମାସ କାର୍ଯ୍ୟାଳୟ ଦୌଡ଼ୁଥିବା ବେଳେ କ୍ଲର୍କଙ୍କ କଲମ କାହିଁକି ଚାଲିଲା ନାହିଁ? ଜିଲ୍ଲା କାର୍ଯ୍ୟାଳୟକୁ କାହିଁକି ଅବଗତ କରାଗଲା ନାହିଁ? ନା ଫାଇଲ୍‌କୁ ଜାଣିଶୁଣି ଥଣ୍ଡା ବସ୍ତାରେ ପକାଇ ରଖାଯାଇଥିଲା? ଯେଉଁ ସହାୟିକା ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ କାମ କରୁଛନ୍ତି, ସେହି ସହାୟିକା ନିଜ ଦରମା ପାଇଁ ଯଦି ବାରମ୍ବାର କାର୍ଯ୍ୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୁଅନ୍ତି, ତେବେ ଏହା ସରକାରୀ ବ୍ୟବସ୍ଥା ପାଇଁ ଲଜ୍ଜାର ବିଷୟ ନୁହେଁ କି? ସବୁଠାରୁ ବଡ଼ କଥା ହେଉଛି, ଦରମା ପ୍ରଦାନ ଭଳି ମୌଳିକ ବିଷୟରେ ଏତେ ବଡ଼ ଅବହେଳା ସତ୍ତ୍ୱେ କାହା ବିରୋଧରେ କୌଣସି ଜବାବଦେହିତା ନାହିଁ। ଏହା କି ସରକାରୀ ଚାକିରିର ଅହଂକାର, ନା ଜନସାଧାରଣଙ୍କ ଅଧିକାର ପ୍ରତି ଖୋଲା ଉପହାସ? ଲୋକଙ୍କ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ଦଳର ଆବଶ୍ୟକତା ନାହିଁ, କିଛି ଦାୟିତ୍ୱହୀନ କର୍ମଚାରୀ ହିଁ ଯଥେଷ୍ଟ। କାରଣ ଜନସାଧାରଣ ସରକାରଙ୍କୁ ନୁହେଁ, ସରକାରୀ କାର୍ଯ୍ୟାଳୟର ବ୍ୟବହାରକୁ ଦେଖି ବିଚାର କରନ୍ତି। ଏବେ ପ୍ରଶ୍ନ ଗୋଟିଏ ୩୦ ମାସ ଧରି ଦରମା ବନ୍ଦ ରହିବା ପଛରେ କିଏ ଦାୟୀ? କିଏ ଦେବ ଜବାବ? ଏବଂ କେବେ ପାଇବେ ସହାୟିକା ତାଙ୍କର ନ୍ୟାୟସଙ୍ଗତ ପ୍ରାପ୍ୟ? ନିରବତା ଯେତେ ବଢ଼ୁଛି, ସନ୍ଦେହ ସେତେ ଗଭୀର ହେଉଛି।
ଆଉ ସନ୍ଦେହର ତୀର ଏବେ ସିଧାସଳଖ ଭାବେ ଆଇ.ସି.ଡି.ଏସ୍ କାର୍ଯ୍ୟାଳୟର ଦାୟିତ୍ୱବାନଙ୍କ ଆଡ଼କୁ ଉଠୁଛି।