ଜଙ୍ଗଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର ୧୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ବ୍ରାହ୍ମଣପଦର ଗ୍ରାମର ହରିବନ୍ଧୁ ସାହୁ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ସୂଚନା ଅନୁଯାୟୀ, ହରିବନ୍ଧୁ ସାହୁ ଏକ ଗରିବ ପରିବାରର ହୋଇଥିବାରୁ ଜଙ୍ଗଲରୁ ଜାଳେଣି କାଠ ଓ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରାୟ ପାଞ୍ଚ ଦିନ ପୂର୍ବେ ସେ ପୂର୍ବଭଳି ଜଙ୍ଗଲକୁ ଯାଇଥିଲେ। ତେବେ ସେହିଦିନଠାରୁ ସେ ଘରକୁ ଫେରି ନଥିଲେ।

ପରିବାର ଲୋକେ ହରିବନ୍ଧୁଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ପରେ ଏନେଇ ତାରସିଂ ଥାନାରେ ଏକ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା।ସୋମବାର କିଛି ସ୍ଥାନୀୟ ଲୋକ ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲ ଭିତରେ ଏକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହଟି ହରିବନ୍ଧୁ ସାହୁଙ୍କର ବୋଲି ଚିହ୍ନଟ ହୋଇଥିଲା।

ହରିବନ୍ଧୁ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ଗରମ କାରଣରୁ ଅଂଶୁଘାତର ଶିକାର ହୋଇ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।