ଟାଙ୍ଗୀ ଚୌଦ୍ୱାର ପାରା ଉଡାଣ ସଂଘର ନିଆରା ଆସର

ଚୌଦ୍ୱାର (ଶିବବ୍ରତ ଦାସ )ଓଡ଼ିଆଙ୍କ ଗଣପର୍ବ ରଜ ଅବସରରେ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ପାରା ଉଡ଼ାଣ ପ୍ରତିଯୋଗିତା। ପାରମ୍ପରିକ କ୍ରୀଡ଼ା ଓ ଗ୍ରାମୀଣ ସଂସ୍କୃତିକୁ ଉଜ୍ଜୀବିତ କରିବା ସହ ଯୁବପିଢ଼ୀଙ୍କ ମଧ୍ୟରେ ଏହା ବେଶ ଉତ୍ସାହ ସୃଷ୍ଟି କରିଛି। ପ୍ରତିଯୋଗିତାରେ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳର ପାରାପ୍ରେମୀମାନେ ନିଜ ନିଜ ପ୍ରଶିକ୍ଷିତ ପାରାଙ୍କୁ ନେଇ ଯୋଗଦେଇଥିଲେ। ଆକାଶରେ ପାରାମାନଙ୍କର ଉଡ଼ାଣ କୌଶଳ ଓ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଡ଼ିବା କ୍ଷମତାକୁ ଆଧାର କରି ବିଜେତା ଚୟନ କରାଯାଇଥିଲା।
ଆଜି ଆଗ୍ରାହାଟ ସ୍ପୋର୍ଟସ କ୍ଲବ୍ ଠାରେ ପ୍ରତିଯୋଗିତାରେ ଭାଗ ନେଇ ବିଜୟ ଲାଭ କରିଥିବା ପାରାପ୍ରେମୀଙ୍କୁ ପ୍ରାଇଜ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ଏହି ନିଆରା ଆୟୋଜନକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା। ରଜର ଆନନ୍ଦ ମଧ୍ୟରେ ପାରା ଉଡ଼ାଣ ପ୍ରତିଯୋଗିତା ଲୋକଙ୍କୁ ଏକ ଭିନ୍ନ ମନୋରଞ୍ଜନ ଯୋଗାଇଥିବା ବେଳେ ଏହା ପୁରୁଣା ପରମ୍ପରାକୁ ପୁନର୍ଜୀବିତ କରିବାର ଏକ ସଫଳ ପ୍ରୟାସ ବୋଲି ମୁଖ୍ୟଅତିଥି ତ୍ରିଦେବ ବେହେରା ମତ ପ୍ରକାଶ କରିଥିଲେ। ଆୟୋଜକମାନଙ୍କ କହିବା ଅନୁଯାୟୀ, ଏହି ପ୍ରତିଯୋଗିତା କେବଳ ଏକ କ୍ରୀଡ଼ା କିମ୍ବା ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ଐତିହ୍ୟ ଓ ସଂସ୍କୃତିକୁ ଆଗାମୀ ପିଢ଼ୀ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ। ପ୍ରଥମ ବର୍ଷରେ ମିଳିଥିବା ସଫଳତା ଓ ଜନସମର୍ଥନକୁ ଦେଖି ଆଗାମୀ ବର୍ଷଗୁଡ଼ିକରେ ଏହାକୁ ଆହୁରି ବୃହତ୍ ଆକାରରେ ଆୟୋଜନ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି। ରଜର ଉତ୍ସବମୁଖର ପରିବେଶ ମଧ୍ୟରେ ଆକାଶରେ ପାରାମାନଙ୍କର ଡେଣା ମେଳାଇ ଉଡ଼ାଣ ସମସ୍ତଙ୍କ ମନକୁ ଛୁଇଁଥିବା ବେଳେ, ଟାଙ୍ଗୀ ଚୌଦ୍ୱାର ପାରା ଆସୋସିଏସନ୍ ର ଏହି ନିଆରା ଆୟୋଜନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଭାପତି ନୃସିଂହ ଚରଣ ପଣ୍ଡା, ଉପସଭାପତି ଅସିତ୍ କୁମାର ବିଶ୍ୱାଳ ଓ ସେକ୍ରେଟାରୀ ଚନ୍ଦନ କୁମାର ଦାସ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଏକାଧିକ ପାରାପ୍ରେମି ଯୋଗଦାନ କରି କାର୍ଯ୍ୟକୁ ସଫଳତା ପହଞ୍ଚାଇଥିଲେ।