ଟାଟା କର୍ଭ୍‌ ଗାଡ଼ିରୁ ୭୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଚୌଦ୍ୱାର (ଶିବବ୍ରତ ଦାସ ): କଟକ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ନିରନ୍ତର ଚଢ଼ାଉ ଅଭିଯାନରେ ବଡ଼ ସଫଳତା ମିଳିଛି। କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଜଗତପୁର ଓ ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୮୦ କେଜି ଗଞ୍ଜେଇ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି।
ପ୍ରଥମ ଘଟଣାରେ ରାକେଶ ମହାପାତ୍ର ଓ ବବିନା ସାହୁ ନାମକ ଦୁଇ ଅଭିଯୁକ୍ତ ଏକ ନୂତନ ଟାଟା କର୍ଭ୍‌ ଚାରିଚକିଆ ଗାଡ଼ିରେ ୭୦ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ଟିମ୍‌ ସେମାନଙ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ପରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସେହିପରି ଅନ୍ୟ ଏକ ମାମଲାରେ ୧୦ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଉ ଜଣେ ଅଭିଯୁକ୍ତକୁ ଅବକାରୀ ମୋବାଇଲ ଟିମ୍‌ ଗିରଫ କରିଥିଲା। ତାଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି।
ଏହି ଦୁଇଟି ଘଟଣାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିବା ବେଳେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଚଢ଼ାଉ ସମୟରେ ଜଗତପୁର ଥାନା ଆଇଆଇସି ଭକ୍ତବତ୍ସଳ ବର୍ମା, ଜିଲ୍ଲା ମୋବାଇଲ ୟୁନିଟର ଅକ୍ଷୟ କୁମାର ଜେନା, ଏସ୍‌ଆଇ ଜୟପ୍ରକାଶ ବେହୁରିଆ, ଏଏସ୍‌ଆଇ ଅଜୟ କୁମାର ଜେନାଙ୍କ ସମେତ ଦେବବ୍ରତ, ଶଙ୍କର ସିଂହ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ମୋନାଲିସା କର ପ୍ରମୁଖ ଅଧିକାରୀ ସାମିଲ ଥିଲେ।କଟକ ଜିଲ୍ଲା ମୋବାଇଲ ୟୁନିଟ ପକ୍ଷରୁ ନିୟମିତ ଭାବେ ଚାଲିଥିବା ଏଭଳି ଚଢ଼ାଉ ଫଳରେ ବିଗତ କିଛି ଦିନ ମଧ୍ୟରେ ବହୁ ବଡ଼ ଗଞ୍ଜେଇ ଚାଲାଣକାରୀ ଓ ଅପରାଧୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ, ଅବକାରୀ ବିଭାଗର ଏହି କଡ଼ା କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯାଉଛି।