
ଚୌଦ୍ଵାର ୨୨|୬ (ଶିବବ୍ରତ ଦାସ ): ଲୋକଙ୍କ ସରକାର, ସ୍ୱଚ୍ଛ ପ୍ରଶାସନ ଓ ଜବାବଦେହିତାର ବଡ଼ ବଡ଼ ନାରା ମଧ୍ୟରେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଆଇସିଡିଏସ୍ କାର୍ଯ୍ୟାଳୟର ଏକ ଘଟଣା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖବର ପ୍ରସାରଣ ପରେ ହଠାତ୍ କାର୍ଯ୍ୟାଳୟର ଚେତା ପଶିଛି। ଯେଉଁ ସହାୟିକା ୨୦୨୫ ମସିହା ଅକ୍ଟୋବର ୧୧ ତାରିଖରେ ଅବସର ନେଇଥିଲେ, ତାଙ୍କୁ ଅବସର ସମ୍ବନ୍ଧୀୟ ଚିଠି ମିଳିଛି ଅବସରର ପ୍ରାୟ ୮ ମାସ ପରେ। ପ୍ରଶ୍ନ ଉଠୁଛି—ଯଦି କାର୍ଯ୍ୟାଳୟ ଜାଣିଥିଲା ଯେ ସହାୟିକାଙ୍କ ଅବସର ତାରିଖ କେବେ, ତେବେ ଅବସର ପୂର୍ବରୁ ଚିଠି କାହିଁକି ଦିଆଯାଇନଥିଲା? ଏହା କି ପ୍ରଶାସନିକ ଅବହେଳା, ନା କାର୍ଯ୍ୟାଳୟର ଫାଇଲଗୁଡ଼ିକ ମଧ୍ୟ ଅବସର ନେଇଥିଲେ? ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସହାୟିକା ଜଣକ ୩୦ ମାସର ବକେୟା ଦରମା ପାଇଁ ଦରଦର ହେଉଥିବା ବେଳେ, କାର୍ଯ୍ୟାଳୟ ଏବେ ଅବସର ଚିଠି ଦେଇ ନିଜ ଦାୟିତ୍ୱ ସାରିଦେବାକୁ ଚେଷ୍ଟା କରୁନାହିଁ ତ? ଯଦି ଏହି ବିଳମ୍ବ କୌଣସି କର୍ମଚାରୀଙ୍କ ତ୍ରୁଟି ପାଇଁ ହୋଇଛି, ତେବେ ସିଡିପିଓ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି? ଭୁଲ୍ କରିବେ କର୍ମଚାରୀ, ଆଉ ବଦନାମ ହେବେ ସରକାର—ଏହି ନୀତିରେ କି ଚାଲିଛି କାର୍ଯ୍ୟାଳୟ? ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି, ଖବର ପ୍ରକାଶ ପାଇବା ପରେ ଯଦି ଚିଠି ବାହାରିପାରେ, ତେବେ ୩୦ ମାସର ବକେୟା ଦରମା ମୁକ୍ତି ପାଇଁ ଆଉ କେତେ ଖବର ପ୍ରସାରଣ ଦରକାର? ଏବେ ସବୁଠାରୁ ବଡ଼ ପ୍ରଶ୍ନ—ଏହା କେବଳ ଅବହେଳା, ନା କି ଅବସର ପରେ ଚିଠି ଦେବା ପଛରେ ରହିଛି କୌଣସି ବଡ଼ ଷଡ଼ଯନ୍ତ୍ର? ଆଉ ସେହି ଷଡ଼ଯନ୍ତ୍ରର ନାୟକ କିଏ? ଉତ୍ତର ଦେବାର ସମୟ ଏବେ ଆଇସିଡିଏସ୍ କାର୍ଯ୍ୟାଳୟ ଓ ସମ୍ପୃକ୍ତ ଅଧିକାରୀଙ୍କର। କାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଫାଇଲ ଭିତରେ ଲୁଚି ରହିପାରିବ ନାହିଁ।