
କୋରାପୁଟ: ୨୩/୦୬ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡେ) କୋରାପୁଟ ସମେତ ଆଖପାଖ ଅଞ୍ଚଳରେ ଦୁଗ୍ଧ ସମବାୟ ଆନ୍ଦୋଳନକୁ ମଜବୁତ୍ କରିବା ସହ ସାମାଜିକ ଓ ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇପାରିବ । ଏହି ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟର ଡାଏରୀ ସାଇନ୍ସ ବିଭାଗର ମୁଖ୍ୟ ଡ଼. ସଞ୍ଜୟ କୁମାର ପ୍ରଧାନ ଓ କୃଷି ବିଭାଗର ମୁଖ୍ୟ ଡ଼. ମଞ୍ଜୁଶ୍ରୀ ସିଂହ ୧୬ ରୁ ୧୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୁଜରାଟର ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଏବଂ ଅମୂଲ ପରିଦର୍ଶନ କରିଥିଲେ। କୋରାପୁଟରେ ଏକ ସ୍ଥାୟୀ ଓ ସୁଦୃଢ଼ ଦୁଗ୍ଧ ସମବାୟ ବ୍ୟବସ୍ଥା ଗଠନ କରିବା ପାଇଁ ମିଳିତ ଭାବେ କାମ କରିବାର ସୁଯୋଗ ଅନ୍ୱେଷଣ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ ଥିଲା।
ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବିଭିନ୍ନ ଦୁଗ୍ଧ ସମବାୟ ସମିତି, ଗ୍ରାମୀଣ ଦୁଗ୍ଧ ଉତ୍ପାଦକ ସଂଗଠନ, ଦୁଗ୍ଧ ସଂଗ୍ରହ କେନ୍ଦ୍ର ଏବଂ ଆଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ ଓ ମୂଲ୍ୟ ସଂଯୋଜନ ୟୁନିଟ୍ଗୁଡ଼ିକ ବୁଲି ଦେଖିଥିଲେ । ଏହା ମାଧ୍ୟମରେ ସମବାୟ ପରିଚାଳନା, କ୍ଷୀର ସଂଗ୍ରହ, ପ୍ରକ୍ରିୟାକରଣ, ବିକ୍ରୟ ଏବଂ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ସେମାନଙ୍କର ସଫଳ ମଡେଲ୍ ଓ ଭଲ ପଦକ୍ଷେପଗୁଡ଼ିକୁ ଅଧ୍ୟୟନ କରାଯାଇଥିଲା।
ଏହି ଅବସରରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଓ ଅମୂଲର ବିଶେଷଜ୍ଞମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ କୋରାପୁଟରେ ଦୁଗ୍ଧ ସମବାୟ ବ୍ୟବସ୍ଥା ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ପ୍ରାଥମିକ ସ୍ଥିତିର ସମୀକ୍ଷା ପାଇଁ ଖୁବଶୀଘ୍ର ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଏକ ହାଇଲେଭଲ ଟିମ କୋରାପୁଟ ଗସ୍ତ କରିବାର ସମ୍ଭାବନା ରହିଛି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦୀର୍ଘଦିନ ଧରି ପଶୁପାଳନ, କୃଷି ଏବଂ ଜଙ୍ଗଲ ଆଧାରିତ କାର୍ଯ୍ୟ ମାଧ୍ୟମରେ କୋରାପୁଟର ଆଦିବାସୀ ସମୁଦାୟର ଜୀବିକାର ଉନ୍ନତିକୁ ପ୍ରାଥମିକତା ଦେଇଆସୁଛି । ଏହି ପ୍ରସ୍ତାବିତ ଦୁଗ୍ଧ ସମବାୟ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ଆୟ ବୃଦ୍ଧି, ବ୍ୟବସାୟର ବିକାଶ, ପୌଷ୍ଟିକ ସୁରକ୍ଷା ଏବଂ ଗ୍ରାମୀଣ ସମୃଦ୍ଧିର ଏକ ନୂଆ ବାଟ ଫିଟିବ ବୋଲି ଆଶା କରାଯାଉଛି।
ଏହି ଉଦ୍ୟମ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଜ୍ଞାନ, ଗବେଷଣା, ନୂତନ ଚିନ୍ତାଧାରା, କୌଶଳ ବିକାଶ ଓ ସେବାର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହ ଛାତ୍ରଛାତ୍ରୀ, ଚାଷୀ ଏବଂ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ସଶକ୍ତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ଗଠନରେ ସହଯୋଗ କରିବା ଏହାର ଉଦ୍ଦେଶ୍ୟ। ଆଲୋଚନା ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍, ଶିଳ୍ପ ପ୍ରଶିକ୍ଷଣ, ନିଯୁକ୍ତି ସୁଯୋଗ ଏବଂ ସିୟୁଓରେ ଏକ ‘ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ କୌଶଳ କେନ୍ଦ୍ର’ ସ୍ଥାପନ କରିବା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ନୃସିଂହ ଚରଣ ପଣ୍ଡା ଏହି ପରିବର୍ତ୍ତନକାରୀ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଶିକ୍ଷା, ଗବେଷଣା ଓ ସମାଜ ସହ ଜଡ଼ିତ ରହି ଅଞ୍ଚଳର ଆଦିବାସୀ ସମୁଦାୟର ସେବା କରିବା ପାଇଁ ବିଶ୍ୱବିଦ୍ୟାଳୟ ସଦାବେଳେ ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।
“ଆଜିର ସମବାୟ ଆନ୍ଦୋଳନ, ଆସନ୍ତାକାଲିର ସମୃଦ୍ଧ କୋରାପୁଟ।”