
ଚୌଦ୍ୱାର (ଶିବବ୍ରତ ଦାସ ) : ସ୍ଥାନୀୟ ଦ ବି ଆଇ ପି ଏଫ୍ ସ୍କୁଲରେ ଏକ ସମବାୟ ଓ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମବାୟ ଆନ୍ଦୋଳନ ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅଧ୍ୟକ୍ଷ ହରିଶ୍ ଚୌଧୁରୀଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମଧୁସୂଦନ ଇନଷ୍ଟିଚୁଟ୍ ଅଫ୍ କୋ -ଅପରେଟିଭ୍ ମ୍ୟାନେଜମେଣ୍ଟ ଅଧ୍ୟକ୍ଷ ତଥା ବିଶିଷ୍ଟ ସମବାୟ ବିଶେଷଜ୍ଞ ଡ଼ ପି.କହ୍ନୟା ଓ ସମ୍ମାନୀତ ଅତିଥିଭାବେ ଅଧ୍ୟାପିକା ପ୍ରିୟଦର୍ଶିନୀ ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମବାୟର ଗୁରୁତ୍ୱ ଏବଂ ଆର୍ଥିକ ପରିଚାଳନା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଡ଼. କହ୍ନୟା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମବାୟ କେବଳ ଏକ ଆର୍ଥିକ ବ୍ୟବସ୍ଥା ନୁହେଁ, ବରଂ ଏହା ସାମାଜିକ ଓ ଆର୍ଥିକ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ । ସେ ଛାତ୍ରଛାତ୍ରୀଙ୍କୁ ସଞ୍ଚୟର ଅଭ୍ୟାସ ଗଢ଼ି ତୋଳିବା, ସଠିକ ନିବେଶ କରିବା ଏବଂ ଡିଜିଟାଲ ଆର୍ଥିକ ସେବା ବ୍ୟବହାର କରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଭିନ୍ନ ଆର୍ଥିକ ଯୋଜନା,ବ୍ୟାଙ୍କ ସେବା,ଋଣ ପରିଚାଳନା ଏବଂ ଉଦ୍ୟୋଗୀତା ବିକାଶ ସମ୍ପର୍କରେ ତଥ୍ୟ ଅବଗତ ହୋଇଥିଲେ । ଛାତ୍ରଛାତ୍ରୀମାନେ ଡ଼. କହ୍ନୟାଙ୍କ ସହ ଆଲୋଚନା କରି ନିଜର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପାଇଥିଲେ । ଶେଷରେ ସ୍କୁଲ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।