
ଜଗନ୍ନାଥ ପ୍ରସାଦ ୨୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜାଡଧାର ଗ୍ରାମ ପେଟାପାତ୍ର ଠାକୁରାଣୀ ମନ୍ଦିରକୁ କେନ୍ଦ୍ର କରି ଏହି ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ବିବାଦ ଲାଗି ରଖିଥିବା ବେଳେ ବୁଧବାର ଉଭୟ ପକ୍ଷକୁ ନେଇ ଥାନା ପରିସରରେ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଅଧିକାରୀ ଶୁଭଲକ୍ଷ୍ମି ପୂଜାରୀଙ୍କ ଆବାହାନ କ୍ରମେ ଉଭୟ ପକ୍ଷର ଲୋକେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିୟାମା, ଏସ ଡି ପି ଓ ଦୀପକ କୁମାର ମିଶ୍ର, ଓ ତହସିଲଦାର ଅଶୋକ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଉଭୟ ପକ୍ଷ ମଧ୍ୟରେ ଲାଗିରହିଥିବା ମନମାଳିନର ସମାଧାନ ପାଇଁ ଉଭୟ ପକ୍ଷଙ୍କ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରିଥିଲେ। ତେବେ, କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସରଳ ଗ୍ରାମବାସୀଙ୍କ ହୃଦୟରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରି ବିବାଦକୁ ଜଟିଳ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେଣୁ, ୩ ୟ ପକ୍ଷର ହସ୍ତକ୍ଷେପକୁ ଉଭୟ ପକ୍ଷ ବାରଣ କରିବା ନିମନ୍ତେ ବୈଠକରେ କୁହାଯାଇଥିଲା । ତେବେ, ଉଭୟ ପକ୍ଷ ମଧ୍ୟରେ ହିଂସା ପ୍ରତିହିଂସା ଆଚରଣ ନ କରି ସାମାଜିକ ସଦଭାବନା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ପକ୍ଷ ଉଦ୍ୟମ ଜାରି ରଖିବେ ବୋଲି ପୋଲିସ ଓ ପ୍ରଶାସନର ଉଭୟ ପକ୍ଷ ମାନି ନେଇଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୮ ମାର୍ଚ୍ଚ ରେ ଜାଡଧାର ଗ୍ରାମ ଠାକୁରାଣୀ ମନ୍ଦିରର ଜନ୍ତାଳ ଉତ୍ସବ ଚାଲିଥିବା ବେଳେ ମନ୍ଦିର ପ୍ରବେଶକୁ ନେଇ ଏହି ଗ୍ରାମ ର ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଅସବର୍ଣ୍ଣ ଜାତିର ଲୋକେ ପୁରାତନ ମନ୍ଦିର ନିକଟରେ ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଉଭୟ ପକ୍ଷ ମୁଁହାମୁହିଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । କିନ୍ତ୍ତ ପୋଲିସ ଏଥିରେ ହସ୍ତକ୍ଷେପ କରି ଉଭୟ ପକ୍ଷରୁ ୨ ଟି ମାମଲା ରଜୁ କରିଥିଲା। ପୁନର୍ବାର ଗତ ୨ ଦିନ ତଳେ ବିବାଦର ସମାଧାନ ପାଇଁ ଅସବର୍ଣ୍ଣ ପକ୍ଷରୁ ଦାବି କରାଯାଇଥିଲା । ଫଳରେ ଆଜି ଥାନା ପରିସରରେ ଉଭୟ ପକ୍ଷଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଥିବା ବେଳେ ପୁନର୍ବାର ଭଞ୍ଜନଗର ଉପ – ଜିଲ୍ଲାପାଳଙ୍କ ନିକଟରେ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ ଦିନରେ ଉଭୟ ପକ୍ଷର ସ୍ଥାୟୀ ଶାନ୍ତି ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିବା କଥା ଥାନା ଅଧିକାରୀ ଶ୍ରୀମତି ପୂଜାରୀ ଦର୍ଶାଇଛନ୍ତି।