
ଚୌଦ୍ୱାର(ଶିବବ୍ରତ ଦାସ ): ଜାତୀୟ ରାଜପଥ ୫୫ ଦେଇ ଯାତ୍ରା କରୁଥିବା ହଜାର ହଜାର ବାହନ ଓ ଯାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ପାଲଟିଛି ଚୌଦ୍ୱାର ଇମ୍ଫା କମ୍ପାନୀର ଗାନ୍ଧିଛକ ଓ ମୁଣ୍ଡମାଳ ସ୍ଥିତ ରେଳ ଧାରଣା। ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରଶାସନ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ କୌଣସି ଆନ୍ତରିକତା ନଥିବା ଅଭିଯୋଗ ହେଉଛି। ଫଳରେ ଦୈନିକ ଏଠାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜୁଛି।ଦୈନିକ ସୃଷ୍ଟି ହେଉଛି କୃତ୍ରିମ ବାଧା ଇମ୍ଫା କାରଖାନାକୁ କଞ୍ଚାମାଲ ଓ କୋଇଲା ପରିବହନ ପାଇଁ ଏହି ରେଳ ଧାରଣା ବ୍ୟବହାର କରାଯାଉଛି। ଦିନସାରା ବାରମ୍ବାର ମାଲଗାଡ଼ି ଯାତାୟାତ ଯୋଗୁଁ ଏଠାରେ ରେଳ ଫାଟକ ବନ୍ଦ ରହୁଛି। କଟକ, ଭୁବନେଶ୍ୱରରୁ ଅନୁଗୁଳ, ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଗାଡ଼ି ଚଳାଚଳ କରିଥାଏ। ମାତ୍ର ଏହି ଦୁଇ ରେଳ ଫାଟକ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ୱରେ ଲମ୍ବା ଗାଡ଼ି ଲାଇନ ଲାଗି ରହୁଛି।ଜୀବନ ସହ ଖେଳ, ଆମ୍ବୁଲାନ୍ସ ବି ଫସୁଛିଏହି ଟ୍ରାଫିକ୍ ଜାମ୍ ଯୋଗୁଁ କେବଳ ସାଧାରଣ ଯାତ୍ରୀ ନୁହନ୍ତି, ବରଂ ଜରୁରୀକାଳୀନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ଅନୁଗୁଳ ଓ ଢେଙ୍କାନାଳ ଆଦି ଅଞ୍ଚଳରୁ କଟକ ବଡ଼ ମେଡିକାଲ (SCB) ଆସୁଥିବା ଗୁରୁତର ରୋଗୀଙ୍କ ଆମ୍ବୁଲାନ୍ସ ଏଠାରେ ଅନେକ ସମୟ ଧରି ଫସି ରହୁଛି। ସମୟ ସେବା ନମିଳିବା କାରଣରୁ ଅନେକ ସମୟରେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।ସ୍ଥାନୀୟ ବାସିନ୍ଦା ଏବଂ ଗାଡ଼ି ଚାଳକଙ୍କ କହିବା ଅନୁଯାୟୀ, ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଓଭରବ୍ରିଜ୍ ନିର୍ମାଣ ଅତ୍ୟନ୍ତ ଜରୁରୀ। ମାତ୍ର ଜାତୀୟ ରାଜପଥ ପ୍ରାଧିକରଣ (NHAI), ରେଳ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପ୍ରକଳ୍ପ ଆଗକୁ ବଢ଼ିପାରୁ ନାହିଁ। ବାରମ୍ବାର ଦାବି ସତ୍ତ୍ୱେ କେବଳ ପ୍ରତିଶ୍ରୁତି ମିଳୁଛି, ମାତ୍ର କାମ ଶୂନ। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ଓଭରବ୍ରିଜ୍ ପାଇଁ ଆନ୍ତରିକତା ପ୍ରକାଶ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଜନଆନ୍ଦୋଳନ ହେବାର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଜନସାଧାରଣ।