
ଚୌଦ୍ୱାର (ଶିବବ୍ରତ ଦାସ): ଚୌଦ୍ୱାର ସର୍କଲ ଜେଲ୍କୁ କେନ୍ଦ୍ରକରି ରାଜ୍ୟ ଜେଲ୍ ପ୍ରଶାସନରେ ହଟଚମଟ ସୃଷ୍ଟି ହୋଇଛି। ଜେଲ୍ ବିଭାଗର ମହାନିର୍ଦ୍ଦେଶକ (ଡିଜି) ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଚୌଦ୍ୱାର ସର୍କଲ ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଯୌନ ନିର୍ଯାତନା, ଧମକ ଓ ମାନସିକ ଚାପ ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଚୌଦ୍ୱାର ଥାନାରେ ମାମଲା ରୁଜୁ ହେବା ପରେ ରବିବାର ରାଜ୍ୟ ସରକାର ନାଥଙ୍କୁ ଡିଜି ପଦରୁ ବଦଳି କରି ଗୃହ ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତି ଦେଇଛନ୍ତି।
ସନ୍ତୋଷିନୀଙ୍କ ଏତଲା ଅନୁଯାୟୀ, ୨୦୨୫ ଜୁନ୍ ୧୬ରେ ନାଥ ଚୌଦ୍ୱାର ସର୍କଲ ଜେଲ୍ ପରିଦର୍ଶନରେ ଆସିଥିବା ପରେ ଏହି ଘଟଣାର ସୂତ୍ରପାତ ହୋଇଥିଲା। ପରବର୍ତ୍ତୀ ସମୟରେ ଜୁଲାଇ ୧୮ରେ କାର୍ଯ୍ୟରେ ଯୋଗଦେବା ପରେ ସନ୍ତୋଷିନୀ ଡିଜିଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଏହି ସମୟରେ ନାଥ ନିଜ ବନ୍ଧୁ କୁଲଦୀପ ରଥଙ୍କୁ ଚୌଦ୍ୱାର ଜେଲ୍ ପରିଦର୍ଶନ କରାଇବାକୁ କହିଥିଲେ। ଏହାପରେ ରଥ ତାଙ୍କ ମୋବାଇଲ୍ ନମ୍ବର ହାସଲ କରି ଅଶୋଭନୀୟ ଓ ଅନାକାଂକ୍ଷିତ ବାର୍ତ୍ତା ପଠାଇଥିବା ସନ୍ତୋଷିନୀ ଅଭିଯୋଗ କରିଛନ୍ତି।
ଏତଲାରେ ଆହୁରି ଉଲ୍ଲେଖ ରହିଛି ଯେ, ୨୦୨୫ ଅଗଷ୍ଟ ୨୯ରେ କଟକର ଏକ ହୋଟେଲ୍ରେ ରାତ୍ରିଭୋଜନ ପାଇଁ ତାଙ୍କୁ ଏକୁଟିଆ ଡକାଯାଇଥିଲା। ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ରଥ କହିଥିଲେ। ସେହିପରି ସେପ୍ଟେମ୍ବର ୨୫ କିମ୍ବା ୨୬ରେ ହୋଟେଲ୍ ପ୍ରମୋଦକୁ ଆସିବା ପାଇଁ ଦ୍ୱିତୀୟଥର ନିମନ୍ତ୍ରଣ ମିଳିଥିଲା। ଏଠାରେ ନାଥ ଉପସ୍ଥିତ ରହିବେ ବୋଲି କୁହାଯାଇଥିଲା। ତେବେ ସେ ଉଭୟ ନିମନ୍ତ୍ରଣକୁ ଗ୍ରହଣ କରିନଥିବା ଏତଲାରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ଚୌଦ୍ୱାର ସର୍କଲ ଜେଲ୍ର ତତ୍କାଳୀନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସନ୍ତୋଷିନୀ ପୂର୍ବରୁ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ନାଥ ତାଙ୍କ ଉପରେ ପ୍ରତିଶୋଧମୂଳକ ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି। ଚଳିତବର୍ଷ ଫେବୃଆରୀ ୧୯ରେ ତାଙ୍କୁ ନିଲମ୍ବନ କରାଯିବା ସହ ଚିକିତ୍ସା ଛୁଟି ଅନୁମୋଦନ ନକରିବା, ଦରମା ବନ୍ଦ କରିବା ଏବଂ ପାଞ୍ଚଟି ବିଭାଗୀୟ ଶୃଙ୍ଖଳାଗତ ମାମଲା ଆରମ୍ଭ କରାଯାଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।
ସେହିପରି ୨୦୨୬ ସେପ୍ଟେମ୍ବର ୭ ଓ ୮ରେ ନାଥଙ୍କ କାର୍ଯ୍ୟାଳୟରେ ସାକ୍ଷାତ ସମୟରେ ତାଙ୍କୁ ରାଉଳଙ୍କ ବିରୋଧରେ ଦାୟର ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଯାଇଥିବା ସନ୍ତୋଷିନୀ କହିଛନ୍ତି। ଏପରି ନକଲେ ଚାକିରିରୁ ବହିଷ୍କାର କିମ୍ବା ପଦାବନତି କରିବାର ଧମକ ମିଳିଥିବା ସହ ତାଙ୍କ ଓ ତାଙ୍କ ପିଲାମାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି।
ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ପଞ୍ଜୀକୃତ ହୋଇଛି। ମାମଲା ସମ୍ପର୍କରେ କଟକ ଡିସିପି ଶନିବାର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ କମିଶନରଙ୍କୁ ସରକାରୀ ଭାବେ ଅବଗତ କରାଇଥିଲେ। ଏହି ଘଟଣା ଜେଲ୍ ପ୍ରଶାସନରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଅଭିଯୋଗର ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।