ଭୋରରୁ ମନ୍ଦିର ରୂପାନ୍ତରଣ ନେଇ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ବର (ଓଡ଼ିଶା ଟୁଡ଼େ): ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରୁ ଖୋର୍ଦ୍ଧା ଜିଲ୍ଲାର ମା’ ବରୁଣେଇ ଓ ଭୁବନେଶ୍ବରର କପିଳେଶ୍ୱର ମନ୍ଦିରର ରୂପାନ୍ତରଣ ନେଇ ସମୀକ୍ଷା କରିଛନ୍ତି। ମାଆ ବରୁଣେଇ ମନ୍ଦିରରେ ରୂପାନ୍ତରଣ ସମୀକ୍ଷା ପରେ ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପହଞ୍ଚିଥିଲେ ୫-ଟି ଅଧ୍ୟକ୍ଷ। ମନ୍ଦିରରେ ପହଞ୍ଚି ବାବାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ବରିଷ୍ଠ ଅଧିକାରୀଙ୍କ ସହ ମନ୍ଦିରର ନବକଳେବର ନେଇ ଆଲୋଚନା କରିଥିଲେ । ବେଢା ପରିକ୍ରମା କରି କଣ ଆବଶ୍ଯକତା ରହିଛି ସେନେଇ ନିଜେ ଅନୁଧ୍ଯାନ କରିଥିଲେ ୫-ଟି ଅଧ୍ୟକ୍ଷ । ମନ୍ଦିର ଚାରିପାଖେ ବୁଲି ସମସ୍ଯା ସମ୍ପର୍କରେ ଅବଗତ ହୋଇଥିଲେ । ରୂପାନ୍ତରଣରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଐତିହ୍ଯ ଓ ସଂସ୍କୃତିର ସୁରକ୍ଷାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ନିକଟସ୍ଥ ପୁଷ୍କରିଣୀର ବିକାଶ ସହ ସାମଗ୍ରିକ ଉନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ମନ୍ଦିରରେ ନୀତିକାନ୍ତି କିପରି ସୁରୁଖୁରୁରେ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ୫-ଟି ଅଧ୍ୟକ୍ଷ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଥିଲେ। ସେନେଇ ବ୍ଯବସ୍ଥା ହେବ। ଆସନ୍ତା ୫୦ ବର୍ଷ ପାଇଁ ଯେପରି କୌଣସି ଅଭାବ ରହିବନି ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ସରକାରଙ୍କ ଉପରେ ନିର୍ଭର ନକରି ମନ୍ଦିର ଉତ୍ସରୁ ଅର୍ଥ ସଂଗ୍ରହ ପାଇଁ ଚାରିପାଖର ଉନ୍ନତିକରଣ କରାଯିବ। ଦୋକାନ ଗୃହ ଆଦି ନିର୍ମାଣ କରାଯାଇ ସେହି ଅର୍ଥରୁ ହିଁ ମନ୍ଦିରର ଆବଶ୍ଯକତା ପୂରଣ କରାଯିବ। ରାଜ୍ଯର ବିଭିନ୍ନ ସ୍ଥାନରେ ଠାକୁରଙ୍କର ଜମି ରହିଥିବାବେଳେ ଏହାକୁ ମନ୍ଦିର ଅଧୀନକୁ ଆଣିବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ଯକ୍ଷ।

Leave a Reply

Your email address will not be published. Required fields are marked *