
ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ): କଟକରୁ ଭଞ୍ଜନଗର ଅଭିମୁଖେ ଫେରୁଥିବା OSRTC ବସ୍ ରାତ୍ର ପାଖାପାଖି ୧୦ ଟା ସମୟରେ ବେଲଗୁଣ୍ଠା ନିକଟରେ ଏକ ଗଛକୁ ପିଟି ଦେବାରୁ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଡ୍ରାଇଭରକୁ ହଠାତ୍ ଅପସ୍ମାର ଆକ୍ରାନ୍ତ ହେବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଆହତ ମାନଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ଏବଂ କିଛି ମହିଳା ରହିଥିବା ଜଣାଯାଇଛି । ଗୁରୁତର ଆହତ ୨ ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ବର ଏବଂ ଜଣେ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି । ଘଟଣା ଶୁଣିବା ପରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ଚିକିତ୍ସାଳୟରେ ପହଞ୍ଚି ଆହତ ମାନଙ୍କୁ ଦେଖିଥିଲେ ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l ସମସ୍ତଙ୍କୁ ଯେପରି ଆବଶ୍ୟକୀୟ ସୁବିଧା ମିଳିପାରିବ ସେ ପ୍ରତି ଧ୍ୟାନ ଦେଇଥିଲେ । ଆମ୍ବୁଲାନ୍ସ ସୁବିଧା ମିଳି ପାରିନଥିବା ଆହତଙ୍କୁ ନିଜସ୍ଵ ସୁବିଧାରେ ବଡ଼ ଡ଼ାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ । ଡାକ୍ତର ମାନଙ୍କୁ ଆହତ ମାନଙ୍କ ସ୍ଥିତି ବିଷୟରେ ବୁଝିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ଜଣାଇଥିଲେ । ବିଧାୟକଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଶିବ ପ୍ରସାଦ ମହାପାତ୍ର, ସୁବାସ ପ୍ରଧାନ, ସତିଶ ଗୌଡ଼, ଶିବଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ବି ସୁଶାନ୍ତ ପାତ୍ର, ଅରକ୍ଷିତ ପରିଛା ପ୍ରମୁଖ ଆହତ ମାନଙ୍କୁ ଭେଟି ସହଯୋଗ କରିଥିଲେ । ଚିକିତ୍ସାଳୟ ଅଧିକ୍ଷକ ସିତାଂଶୁ ଶତପଥୀ, ଡ଼ାକ୍ତରଖାନା ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ, ଅନ୍ୟାନ୍ୟ ଡାକ୍ତର, ନର୍ସ , ମେଡିକାଲ କର୍ମଚାରୀ ରୋଗୀଙ୍କୁ ସେବା ଶୁଶ୍ରୁଷା ଯୋଗାଇ ଦେଇଥିଲେ । ବେଲଗୁଣ୍ଠା ଥାନା ପୋଲିସ ଅଧିକାରୀ ମାନେ ମଧ୍ୟ ସହଯୋଗ କରିଥିଲେ ।