ହଟିଲା ସସ୍ପେନ୍ସ : ମୋହନ ଚରଣ ମାଝୀ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ଓଡ଼ିଶା ଟୁଡେ): ଶେଷ ହେଲା ସସପେନ୍ସ । ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ମୋହନ ଚରଣ ମାଝୀ ହେଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ନେବେ ଶପଥ ।

୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡ ଭାଙ୍ଗିବାଯାଏଁ କାର୍ଯ୍ୟ କରିଥିଲେ ।

ବିଧାୟକ ଦଳ ନେତା ଚୟନ ପାଇଁ ବିଜେପି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ବ ଦେଇଥିଲା । ବିଜେପି ବିଧାୟକଙ୍କ ସହ ଆଲୋଚନା ପରେ ରାଜନାଥ ଓ ଭୂପେନ୍ଦ୍ର ଯାଦବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି । 

ଏଥିସହ ଉପ-ମୁଖ୍ୟମନ୍ତ୍ରୀ ପାଇଁ କେଭି ସିଂ ଦେଓ, ପ୍ରଭାତୀ ପରିଡ଼ାଙ୍କ ନାମରେ ମୋହର ବାଜିଛି ।

ଏହା ସହ ନୂଆ ମୁହଁ ଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ପ୍ରଦ୍ୟୁମ୍ନ କୁମାର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ । 

ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *