ସ୍ବାମୀଙ୍କୁ ନମାଗି ନିଜେ ରୋଜଗାର କର; ଭରଣପୋଷଣ ପାଇଁ ମାସକୁ ୬ଲକ୍ଷ ମାଗିବାରୁ ଏଭଳି କହିଲେ କୋର୍ଟ

ବେଙ୍ଗାଲୁରୁ: ସ୍ବାମୀଙ୍କୁ ନମାଗି ନିଜେ ରୋଜଗାର କର। ଛାଡ଼ପତ୍ର ଆବେଦନ ପରେ ଭରଣପୋଷଣ ପାଇଁ ମାସକୁ ୬ଲକ୍ଷ ମାଗିବାରୁ ଏଭଳି କହିଲେ ହାଇକୋର୍ଟ ବିଚାରପତି। ସୋସିଆଲ ମିଡିଆରେ ହାଇକୋର୍ଟରେ ଚାଲିଥିବା ଶୁଣାଣି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସ୍ୱାମୀ ମାସିକ ୬ଲକ୍ଷ ଟଙ୍କା ଭରଣପୋଷଣ ଆକାରରେ ଦିଅନ୍ତୁ ବୋଲି ମହିଳାଙ୍କ ଓକିଲ କୋର୍ଟରେ ଦାବି କରୁଛନ୍ତି। ଦାବି ଶୁଣି ବିରକ୍ତି ପ୍ରକାଶ କରିବା ସହ ସ୍ବାମୀଙ୍କୁ ନମାଗି ନିଜେ ରୋଜଗାର କର ବୋଲି ଶୁଣାଣି କରୁଥିବା ବିଚାରପତି କହୁଥିବା ଭିଡିଓରେ ଦେଖାଯାଇଛି ।

ସୂଚନା ମୁତାବକ, ମହିଳାଙ୍କ ଓକିଲ କୋର୍ଟରେ ଦାବି କରିଥିଲେ ଯେ, ଜୋତା, ପୋଷାକ, ଚୁଡି ଇତ୍ୟାଦି ପାଇଁ ମୋ ମହକିଲଙ୍କୁ ମାସକୁ ୧୫,୦୦୦ଟଙ୍କା ଏବଂ ଘରେ ଚଳିବା ପାଇଁ ମାସକୁ ୬୦,୦୦୦ଟଙ୍କା ଦରକାର। ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଫିଜିଓଥେରାପି ଓ ଅନ୍ୟାନ୍ୟ ଔଷଧ ପାଇଁ ତାଙ୍କୁ ୪-୫ ଲକ୍ଷ ଟଙ୍କା ଦରକାର ।

ଏଭଳି ଦାବି ଶୁଣିବା ପରେ ବିରକ୍ତି ପ୍ରକାଶ କରି ବିଚାରପତି କହିଥିଲେ, ଏହା କୋର୍ଟ ପ୍ରକ୍ରିୟାର ଶୋଷଣ।  ଯଦି ସେ ଏତେ ଟଙ୍କା ଖର୍ଚ୍ଚ କରିବାକୁ ଚାହାଁନ୍ତି ତେବେ ସେ ନିଜ‌େ ରୋଜଗାର କରନ୍ତୁ। ଦୟାକରି କୋର୍ଟରେ ଏଭଳି କୁହନ୍ତୁ ନାହିଁ ଯେ, ଏହା ଜଣେ ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ଜିନିଷ। ମାସକୁ ୬,୧୬,୩୦୦ ଟଙ୍କା ! କେହି ଏତେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି କି? ତାଙ୍କ ଉପରେ ପରିବାରର କୌଣସି ଦାୟିତ୍ବ ନାହିଁ। ପିଲାମାନଙ୍କର ଯତ୍ନ ନେବାର ନାହିଁ। ନିଜେ ଏକାକୀ ଚଳିବା ପାଇଁ ୬ଲକ୍ଷ ଦରକାର। ଯଦି ଏତେ ଟଙ୍କାର ଆବଶ୍ୟକତା ରହିଛି ତେବେ ନିଜେ ରୋଜଗାର କର। ସ୍ବାମୀଙ୍କୁ ମାଗ ନାହିଁ । ”

Leave a Reply

Your email address will not be published. Required fields are marked *