
ନୂଆଦିଲ୍ଲୀ: କୋଲକାତାର ଆର୍ଜି କର ମେଡିକାଲ କଲେଜରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରତିକ୍ରିୟା ରଖିଛନ୍ତି। କୌଣସି ସଭ୍ୟ ସମାଜ ଭଉଣୀ ଓ ଝିଅମାନଙ୍କ ସହ ଏଭଳି ଅତ୍ୟାଚାରକୁ ପ୍ରଶ୍ରୟ ଦେଇପାରିବ ନାହିଁ। କୋଲକାତାରେ ଛାତ୍ରଛାତ୍ରୀ, ଡାକ୍ତର ଓ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ଘଟଣାରେ ମୁଁ ବ୍ୟଥିତ ଏବଂ ଭୟଭୀତ ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ହିଂସା ଘଟଣାରେ ଦୁଃଖପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଯେ ସବୁ କିଛିର ଏକ ସୀମା ରହିଛି। ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ୧୨ ବର୍ଷ ବିତିଗଲାଣି। ଦୁଷ୍କର୍ମର ଅଗଣିତ ଘଟଣାକୁ ସମାଜ ଭୁଲିଯାଇଛି। ଏକ ସମାଜ ଭାବରେ ଆମର ଏହି ସାମୂହିକ ବିସ୍ମୃତି ଚିନ୍ତାର ବିଷୟ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଆମ ସମସ୍ତଙ୍କୁ ମିଳିମିଶି ମହିଳାଙ୍କ ବିରୋଧରେ ହେଉଥିବା ହିଂସା ମାମଲାର ମୁକାବିଲା କରିବାକୁ ପଡ଼ିବ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଆତ୍ମସମୀକ୍ଷା କରିବା ଏବଂ କୌଣସି ପକ୍ଷପାତ ନକରି ଏହା ବିଷୟରେ ଆଲୋଚନା କରିବା। ବିକୃତ ମାନସିକତା ଅନେକ ସମୟରେ ଜଣେ ମହିଳାଙ୍କୁ ଜଣେ ନିମ୍ନମାନର ମଣିଷ, କମ୍ ଶକ୍ତିଶାଳୀ, କମ୍ ସକ୍ଷମ, କମ୍ ବୁଦ୍ଧିମାନ ଭାବରେ ଦେଖେ। ପରିସ୍ଥିତି ଏପରି ହୋଇଛି ଯେ ଏବେ ଡାକ୍ତର, ଛାତ୍ର ଓ ନାଗରିକମାନେ ପ୍ରତିବାଦ କରୁଥିବା ବେଳେ ସେହି ସମୟରେ ମଧ୍ୟ ଅପରାଧୀମାନେ ଅନ୍ୟ କୌଣସି ଘଟଣା ଘଟାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ରାଷ୍ଟ୍ରପତି କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମାମଲାଗୁଡ଼ିକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏଭଳି ଭାବେ ଗୋଟିଏ ପରେ ଗୋଟିଏ ଘଟଣାକୁ ଆମେ ଭୁଲିଯିବା ଠିକ୍ ହେବ ନାହିଁ। ନିର୍ଭୟା ମାମଲା ପରଠାରୁ ୧୨ ବର୍ଷ ମଧ୍ୟରେ ଅଗଣିତ ଦୁଷ୍କର୍ମ ଘଟଣାକୁ ସମାଜ ଭୁଲିଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇତିହାସର ସମ୍ମୁଖୀନ ହେବାକୁ ଭୟ କରୁଥିବା ସମାଜ ସାମୂହିକ ସ୍ମୃତି ବିଲୋପର ସାହାରା ନେଇଥାଏ ବୋଲି ସେ କହିଛନ୍ତି। ଭାରତ ପାଇଁ ଇତିହାସର ସାମ୍ନା କରିବା ସମୟ ଆସିଛି ବୋଲି ରାଷ୍ଟ୍ରପତି ତାଙ୍କ ବୟାନରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କୋଲକାତାରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ କ୍ରୋଧ ସାରା ଦେଶରେ ଦେଖିବାକୁ ମିଳୁଛି। ମଙ୍ଗଳବାର କୋଲକାତାରେ ଏକ ବଡ଼ ଧରଣର ବିକ୍ଷୋଭ ହୋଇଥିବା ବେଳେ ଆଜି ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି ।