
କୋଲକାତା: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ବିରୋଧ କରି ଗତକାଲି ନବାନ୍ନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିବା ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ବିଜେପି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ପଶ୍ଚିମବଙ୍ଗର ବିଭିନ୍ନ ଅଂଶରେ ଏହି ବନ୍ଦ ପାଳନ ସମୟରେ ହିଂସା ଉପୁଜିଛି। ବିଜେପି କର୍ମୀମାନେ ରାଜ୍ୟବ୍ୟାପୀ ରାସ୍ତା ଅବରୋଧ ଓ ରେଳରୋକ ଆନ୍ଦୋଳନ କରିଥିବା ବେଳେ ୨୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଛି। କିଛି ସ୍ଥାନରେ ଟିଏମ୍ସି ଏବଂ ବିଜେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଟିଏମ୍ସି ସମର୍ଥକମାନେ ଉତ୍ତର ୨୪ ପ୍ରଗଣାର ଭାତପଡ଼ାରେ ଜଣେ ବିଜେପି ନେତାଙ୍କ କାର୍ ଉପରକୁ ବୋମା ନିକ୍ଷେପ କରିଥିଲେ ଏବଂ ୭ ରାଉଣ୍ଡ୍ ଗୁଳି ଚଳାଇଥିଲେ ।
ଉକ୍ତ ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବନ୍ଦ ସାଧାରଣ ଜୀବନକୁ ପ୍ରଭାବିତ କରିଛି। ଯାତ୍ରୀ ପରିବହନ ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା। ନଦିଆ ଏବଂ ମୁନ୍ସି ବଜାରରେ ଟିଏମ୍ସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। କୋଲକାତାରେ ବିଜେପି କର୍ମୀମାନେ ପୁଲିସ ସହ ମୁହାଁମୁହିଁ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ଯାନ ଚଳାଚଳ ଠପ୍ ହୋଇଯାଇଥିଲା। ପୂର୍ବତନ ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି ଏବଂ ବିଧାୟକ ଅଗ୍ନିମିତ୍ର ପାଲଙ୍କ ସମେତ ଅନେକ ବିଜେପି ନେତାଙ୍କୁ ପୁଲିସ ଅଟକ ରଖିଛି। ବିଜେପିର ବନ୍ଦ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ପୂର୍ବ ରେଳବାଇର ଜଣେ ଅଧିକାରୀଙ୍କ ଅନୁଯାୟୀ ଏହାର କ୍ଷେତ୍ର ଅଧୀନରେ ୪୯ଟି ସ୍ଥାନରେ ରେଳ ଧାରଣା ଅବରୋଧ କରାଯାଇଥିଲା। କୋଲକାତାର ଶ୍ୟାମବଜାର ମେଟ୍ରୋ ଷ୍ଟେସନ୍ ଗେଟ୍ ବଳପୂର୍ବକ ବନ୍ଦ କରିବାକୁ ଚେଷ୍ଟା କରୁଥିବାବେଳେ ଅନେକ ସଂଖ୍ୟାରେ ବିଜେପି କର୍ମୀ ଅଟକ ରହିଛନ୍ତି ।
ସିବିଆଇକୁ ମମତାଙ୍କ ପ୍ରଶ୍ନ: ନ୍ୟାୟ କେଉଁଠି?
କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇକୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ସିବିଆଇ ତଦନ୍ତ କେତେବାଟ ଗଲା ଏବଂ ‘ନ୍ୟାୟ କେଉଁଠି’ ବୋଲି ମମତା ସିବିଆଇକୁ ପ୍ରଶ୍ନ କରିଛନ୍ତି। ଟିଏମ୍ସି ଛାତ୍ରସଂଘର ପ୍ରତିଷ୍ଠା ଦିବସ ଅବସରରେ ଉଦବୋଧନ ଦେଇ ମମତା କହିଛନ୍ତି, ଡାକ୍ତରଙ୍କ ମୃତ୍ୟୁ ହେବାର ୨ ଦିନ ପରେ ସେ ପୀଡ଼ିତା ଡାକ୍ତରଙ୍କ ବାପା ମା’ଙ୍କୁ ଭେଟିଥିଲେ। ମମତା କହିଛନ୍ତି, ସେ ଏହି ମାମଲାରେ ୫ ଦିନ ସମୟ ମାଗିଥିଲେ। କିନ୍ତୁ ମାମଲା ସିବିଆଇକୁ ପଠାଇ ଦିଆଗଲା। ସେମାନେ ନ୍ୟାୟ ଚାହାନ୍ତି ନାହିଁ, ସେମାନେ କେବଳ ବିଳମ୍ବ ଚାହାନ୍ତି। ୧୬ ଦିନ ପରେ ବି ନ୍ୟାୟ କାହିଁକି ମିଳୁନି ବୋଲି ମମତା ପ୍ରଶ୍ନ କରିଛନ୍ତି ।