ଶିକ୍ଷା ‌ଋଣ ଦେଉନାହାନ୍ତି ୧୬ ବ୍ୟାଙ୍କ: ବାର୍ଷିକ ଯୋଜନା ୧୩୫୬.୮୭ କୋଟି

ଭୁବନେଶ୍ବର: ଦିନକୁ ଦିନ ଶିକ୍ଷା ଅତ୍ୟନ୍ତ ବ୍ୟୟବହୁଳ ହେବାରେ ଲାଗିଛି। ସାଧାରଣ ପରିବାରର ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇବା ପାଇଁ ହେଲେ ଋଣ ହିଁ ଏକମାତ୍ର ଭରସା। ଦେଶବିଦେଶର ଭଲ ପ୍ରତିଷ୍ଠାନରେ ପଢ଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଥାଏ। ଅର୍ଥ ଅଭାବରୁ ଯେଭଳି ଉତ୍ତମ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ ସେଥିପାଇଁ ସରକାର ଶିକ୍ଷାଋଣ ପ୍ରଦାନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ ଶିକ୍ଷା ଋଣ ପ୍ରଦାନ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ଓଡ଼ିଶାରେ ବର୍ତ୍ତମାନ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୯ଟି ଘରୋଇ ବ୍ୟାଙ୍କ, ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୫ଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏବଂ ଗୋଟିଏ ରାଜ୍ୟ ସମବାୟ ବ୍ୟାଙ୍କକୁ ମିଶାଇ ମୋଟ ୩୯ଟି ବ୍ୟାଙ୍କ ବ୍ୟବସାୟ କରୁଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ହେଲା ଏଥିରୁ ୧୬ଟି ବ୍ୟାଙ୍କ ଚଳିତ ଆର୍ଥିକବର୍ଷର ପ୍ରଥମ ୩ ମାସରେ ଟଙ୍କାଟିଏ ଶିକ୍ଷା ଋଣ ପ୍ରଦାନ କରିନାହାନ୍ତି। 

ନିକଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବାର୍ଷିକ ଋଣ ଯୋଜନାରେ ଶିକ୍ଷା କ୍ଷେତ୍ରକୁ ଯେତିକି ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି ତାହାକୁ ବ୍ୟାଙ୍କଗୁଡ଼ିକ ହାସଲ କରିବାରେ ସମର୍ଥ ହେଉନାହାନ୍ତି। ୨୦୨୨-୨୩ ଆର୍ଥିକବର୍ଷ ପାଇଁ ୯୭୭.୭୨ କୋଟି ଟଙ୍କା ଶିକ୍ଷାଋଣ ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଥିବାବେଳେ ବ୍ୟାଙ୍କଗୁଡ଼ିକ ୭୧୭.୫୩ କୋଟି ବା ୭୩.୩୯ ପ୍ରତିଶତ ଋଣ ପ୍ରଦାନ କରିଥିଲେ। ସେହିଭଳି ୨୦୨୩-୨୪ ଆର୍ଥିକବର୍ଷ ପାଇଁ ୧୧୫୩.୩୫ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଥିବା ସମୟରେ ବ୍ୟାଙ୍କଗୁଡ଼ିକ ୭୨୮ କୋଟି ଋଣ ପ୍ରଦାନ କରିଥିଲେ। ଅର୍ଥାତ୍‌ ବା‌ର୍ଷିକ ଶିକ୍ଷା ଋଣ ଯୋଜନାର ୫୩.୧୫ ପ୍ରତିଶତ ବ୍ୟାଙ୍କଗୁଡ଼ିକ ହାସଲ କରିପାରିଥିଲେ। ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଶିକ୍ଷା ଋଣ ବାବଦରେ ୧୩୫୬.୮୭ କୋଟି ଟଙ୍କା ପ୍ରଦାନ ପାଇଁ ବାର୍ଷିକ ଋଣ ଯୋଜନାରେ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଆର୍ଥିକବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଏପ୍ରିଲ ଜୁନ ଅବଧିରେ ବ୍ୟାଙ୍କଗୁଡ଼ିକ ୧୦୯.୭୧ କୋଟି ଟଙ୍କା ବା ୮.୦୯ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି। ୨୦୨୩-୨୪ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କଗୁଡ଼ିକ ୧୦୨.୩୬ କୋଟି (୮.୮୮ ପ୍ରତିଶତ)  ଶିକ୍ଷାଋଣ ପ୍ରଦାନ କରିଥିଲେ। 

ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ପ୍ରଦାନ କରାଯାଇଥିବା ମୋଟ ୧୭୭.୯୧ କୋଟି ଟଙ୍କାର ଶିକ୍ଷାଋଣ ମଧ୍ୟରୁ ଅଗ୍ରାଧିକାର ଶିକ୍ଷାଋଣ ବାବଦରେ ୧୦୯.୭୧ କୋଟି ଏବଂ ଅଣଅଗ୍ରାଧିକାର ଶିକ୍ଷାଋଣ ବାବଦରେ ୬୮.୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। 
୧୭୭.୯୧ କୋଟି ଟଙ୍କାର ଋଣରାଶି ମଧ୍ୟରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସର୍ବାଧିକ ୪୩.୮୫ କୋଟି, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୫ କୋଟି ଏବଂ ଇଣ୍ଡିଆନ ବ୍ୟାଙ୍କ ୭.୪୭ କୋଟି ଟଙ୍କା ଋଣ ପ୍ରଦାନ କରି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଘରୋଇ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ୧.୫୨ କୋଟି, ଏକ୍ସିସ ବ୍ୟାଙ୍କ ୦.୯୪ କୋଟି ଏବଂ ଆଇଡିବିଆଇ ବ୍ୟାଙ୍କ ୦.୫୭ କୋଟି ଟଙ୍କାର ଶିକ୍ଷାଋଣ ଏପ୍ରିଲରୁ ଜୁନ ମଧ୍ୟରେ ପ୍ରଦାନ କରିଛନ୍ତି। 

ଉଦ୍‌ବେଗର ବିଷୟ ହେଲା ୧୬ଟି ବ୍ୟାଙ୍କ ଟଙ୍କାଟିଏ ଶିକ୍ଷା ଋଣ ଦେଇନାହାନ୍ତି। ସେହିବ୍ୟାଙ୍କଗୁଡ଼ିକ ହେଲେ ବନ୍ଧନ ବ୍ୟାଙ୍କ, ସିଟି ୟୁନିୟନ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ, ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ, ‌କରୁର୍‌ ବୈଶ୍ୟ ବ୍ୟାଙ୍କ, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ, ଡିବିଏସ୍‌ ବ୍ୟାଙ୍କ, ଆର୍‌ବିଏଲ୍‌ ବ୍ୟାଙ୍କ, ତାମିଲନାଡ଼ୁ ମର୍କାଣ୍ଟାଇଲ ବ୍ୟାଙ୍କ, ୟେସ ବ୍ୟାଙ୍କ, ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏବଂ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ। ସରକାର ଏବଂ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ପଦକ୍ଷେପ ନିଆଯିବା ସହିତ ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆନଗଲେ ଶିକ୍ଷାଋଣରେ ଉନ୍ନତି ଆସିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *