ମଙ୍ଗଳବାର ନୂଆ ରିପୋର୍ଟ ଦାଖଲ କର: ସିବିଆଇକୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ: କୋଲକାତାର ଆରଜି କର ମେଡିକାଲ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଆସନ୍ତା ମଙ୍ଗଳବାର ଦିନ ଏକ ନୂତନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ସିବିଆଇ ପକ୍ଷରୁ ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଏବେ ସ୍ପଷ୍ଟତା ପାଇଁ ଦିଲ୍ଳୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ନମୁନା ପଠାଇବାକୁ ନିଷ୍ପତ୍ତି ନେଇଛି ।

ସେ ଆହୁରି ବି କହିଛନ୍ତି, ‘‘ଆମ ପାଖରେ ଫୋରେନସିକ୍ ପରୀକ୍ଷା ରିପୋର୍ଟ ଅଛି ଏବଂ ଗୋଟିଏ କଥା ସ୍ପଷ୍ଟ ଯେ ଯେତେବେଳେ ସକାଳ ୯.୩୦ ସମୟରେ ଝିଅଟି ମିଳିଥିଲା ସେତେବେଳେ ତାଙ୍କ ଜିନ୍ସ ଏବଂ ଅନ୍ତଃବସ୍ତ୍ର ବାହାର କରାଯାଇଥିଲା। ତାହା ପୀଡ଼ିତା ଯୁବତୀଙ୍କ ପାଖରେ ପଡ଼ିଥିବାର ଦେଖିବାକୁ ମିଳିବା ସହ ତାଙ୍କ ଶରୀରରେ ବି ଆଘାତ ଚିହ୍ନ ବି ଥିଲା। ଏହାଛଡ଼ା ସେ ଅର୍ଧନଗ୍ନ ଅବସ୍ଥାରେ ମିଳିଥିଲେ।’’

ଅନୁସନ୍ଧାନଗୁଡିକ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ନକରି ସଲିସିଟର ଜେନେରାଲ୍ କୁହନ୍ତି, “ବ୍ୟକ୍ତି ପ୍ରବେଶ କରିବା ଓ ପୀଡ଼ିତା ଅର୍ଧନଗ୍ନ ଅବସ୍ଥାରେ ମିଳିବା ହେଉଛି ଏଫ୍‌ଏସ୍‌ଏଲର ଫଳାଫଳ। ତେଣୁ ନମୁନା କିଏ ଗ୍ରହଣ କଲା ତାହା ପ୍ରାସଙ୍ଗିକ ଅଟେ ।”

Leave a Reply

Your email address will not be published. Required fields are marked *