ପରିବହନ ସୁବିଧା ପାଇବାରୁ ବଞ୍ଚିତ ସାଧାରଣ ଜନତା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରୁ ଫୁଲବାଣୀ ଏସି ଲକ୍ଷ୍ମୀ ବସ୍‌ ଦିନକୁ ଦୁଇ ଥର ଯିବା ଆସିବା କରୁଥିଲା। ଏହା ଏକ ମାତ୍ର ସରକାରୀ ବସ୍‌, ଯାହାକି ଘୁ.ଉଦୟଗିରିରୁ ବାହାରି ଫୁଲବାଣୀ ଯିବା ଆସିବା କରୁଥିବା ବେଳେ ଉପକୃତ ହେଉଥିଲେ ସାଧାରଣ ଜନତା। ସ୍ୱଳ୍ପ ସୀମିତ ରହଣି ସହିତ କମ ପଇସା ହୋଇଥିବାରୁ ଲୋକମାନଙ୍କ ପସନ୍ଦ ଏବଂ ଭରସା ଯୋଗ୍ୟ ହୋଇଥିଲା। ଘୁ.ଉଦୟଗିରିରୁ ଫୁଲବାଣୀ ମହିଳାମାନଙ୍କ ପାଇଁ ବସ୍‌ ଭଡ଼ା ୧୦ ଟଙ୍କା ରହିଥିବା ବେଳେ ପୁରୁଷମାନଙ୍କ ପାଇଁ ୬୦ ଟଙ୍କା ରହିଥିଲା। ପୁଣି ଶୀତ ତାପ ନିୟନ୍ତ୍ରିତ ବସ୍‌ରେ ।

ଏହି ବସ୍‌ ସେବାକୁ ଲୋକେ ଅପେକ୍ଷା କରି ରହୁଥିବା ବେଳେ ଏବେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ଵ ସମୟ ହେଲା ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏହି ଏସି ବସ୍‌ଟି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ଦୀର୍ଘ ଦିନ ବସ୍‌ଟି ଯାତାୟତ ନ କରି ଗୋଟିଏ ସ୍ଥାନରେ ପଡ଼ିରହିଲେ ଖରାପ ହେବା ସୁନିଶ୍ଚିତ।‘ସରକାର କା ମାଲ୍‌ ଦରିଆ ମେ ଡାଲ’ ନ୍ୟାୟରେ ଏହି ସ୍ଥାନରେ ବସ୍‌ଟି ଅନୁପଯୋଗୀ ହୋଇଛି ।

ଏହି ବସ୍‌ର ଦାୟିତ୍ବ ନେବାକୁ କେହି ନାହାନ୍ତି। କେମିତି ବସ୍‌ଟି ରୁଟ୍‌ରେ ଯାତାୟତ କରିବ ତା ପ୍ରତି କାହାର ନଜର ନାହିଁ। ଲକ୍ଷାଧିକ ଟଙ୍କାର ନୂଆ ବସ୍‌ ଖତ ଖାଇବାକୁ ଛାଡ଼ି ଦେଇଛନ୍ତି ବିଭାଗୀୟ ଅଧିକାରୀ। ଯାତ୍ରୀମାନେ ଏହି ବସ୍‌କୁ ଖୋଜି ବୁଲି ଥିବା ବେଳେ ବନ୍ଦ ହେବା କଥା ଶୁଣି ନିରାସ ହୋଇଛନ୍ତି। ସରକାର ବଦଳିବା ପରେ ହଠାତ୍ ଏମିତି ବନ୍ଦ ହେବାକୁ ନେଇ ସାଧାରଣ ଜନତା ସହଜରେ ବୁଝିପାରୁନାହାନ୍ତି। ତେଣୁ ଜନସାଧାରଣଙ୍କ ସୁବିଧା ସହିତ କର୍ମଚାରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ପୁନର୍ବାର ଏହି ବସ୍‌ ସେବା ଯେଗାଇ ଦେବାକୁ ଦାବି ହୋଇଛି। ଚାହିଦା ଥିବା ରୁଟ ବନ୍ଦ କରି ଯେଉଁ ରୁଟରେ କ୍ଷତି ହେଉଛି ଚାହିଦା ନାହିଁ ସେହି ରୁଟରେ ବସ ଚାଲିଥିବା ଅଭିଯୋଗ ହେଉଛି। ପରିବହନ ବିଭାଗର ବିଚିତ୍ର କାରବାର ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *