ସ୍ୱାସ୍ଥ୍ୟ, କୃଷି ଓ ସହର ସମସ୍ୟାର ସମାଧାନ କରିବ ଏଆଇ: ଧର୍ମେନ୍ଦ୍ର

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନିଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଏବଂ ଏମ୍ସ ଦିଲ୍ଲୀ ନେବ। କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ରୋପାର ନେବ ଏବଂ ଆଇଆଇଟି କାନପୁର ସ୍ଥାୟୀ ସହର(ସଷ୍ଟେନେବଲ ସିଟି) କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରକୁ ପରିଚାଳିତ କରିବ। ବିଶ୍ୱ ଏଆଇ ଦୃଶ୍ୟପଟ୍ଟରେ ଭାରତର ପରିଚୟକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ ବିଶ୍ୱର ସାର୍ବଜନୀନ ନୀତିର ଏକ ପ୍ରମୁଖ ଉପାଦାନ ହେବ ଏବଂ ବିଶ୍ୱର ସମାଧାନ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହେବ।ତିନିଟି ଏଆଇ ଉତ୍କର୍ଷ କେନ୍ଦ୍ର ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀକେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନିଟି ଉତ୍କର୍ଷ କେନ୍ଦ୍ରକୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍‌ମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବା ସହ ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବା ସହ ଏହି ତିନିଟି କ୍ଷେତ୍ରରେ ସମସ୍ୟାର ସମାଧାନ ବାହାର କରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ।

ଏହି ତିନିଟି ଉତ୍କର୍ଷ କେନ୍ଦ୍ର ପାଇଁ ୨୦୨୭-୨୮ ସୁଦ୍ଧା ୯୯୦କୋଟି ଖର୍ଚ୍ଚ କରିବାକୁ ବ୍ୟୟ ବରାଦ ହୋଇଛି। ଏହାର ତଦାରଖ କରିବା ପାଇଁ ଜୋହୋ କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଡ. ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସଚିବ, ସର୍ବୋଚ୍ଚ କମିଟିର କୋ-ଚେୟାର, ଡ. ଶ୍ରୀଧର ଭେମ୍ବୁ, ନ୍ୟାସନାଲ ଏଜୁକେସନାଲ ଟେକ୍ନୋଲୋଜି ଫୋରମ୍‌ର ଅଧ୍ୟକ୍ଷ, ଆଇଆଇଟିର ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ, ଶିଳ୍ପନେତା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *