ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ମହାରାଜ,

ମହାମହିମ,

ନମସ୍କାର !

ପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ଜନକେନ୍ଦ୍ରୀତ ନିଷ୍ପତ୍ତିକୁ ବ୍ରାଜିଲ୍ ର ଅଧ୍ୟକ୍ଷତା ସମୟରେ ଆଗେଇ ନିଆଯାଇଛି।ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ଆମେ ଏସଡିଜି ଲକ୍ଷ୍ୟକୁ ପ୍ରାଥମିକତା ଦେଇଛୁ ।ଆମେ ସାମଗ୍ରିକ ବିକାଶ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ଯୁବ ଶକ୍ତି ଉପରେ ଗୁରୁତ୍ୱ ଦେଇଥିଲୁ ।ଆହୁରି ଗ୍ଲୋବାଲ ସାଉଥର ଆଶା ଓ ଆକାଂକ୍ଷାକୁ ଶିଖରରେ ପହଞ୍ଚାଇଥିଲୁ।ଏହା ସ୍ପଷ୍ଟ ଯେ ଏକ ପୃଥିବୀ ଏକ ପରିବାର ଏକ ଭବିଷ୍ୟତ ପ୍ରସଙ୍ଗ ଗତ ବର୍ଷ ଭଳି ଏହି ଶିଖର ସମ୍ମିଳନୀରେ ମଧ୍ୟ ପ୍ରାସଙ୍ଗିକ ।

ବନ୍ଧୁଗଣ,

ପ୍ରଥମ ଅଧିବେଶନର ବିଷୟବସ୍ତୁ ସମ୍ପର୍କରେ, ମୁଁ ଭାରତର ଅନୁଭୂତି ଏବଂ ସଫଳତାର କାହାଣୀ ଆପଣମାନଙ୍କ ସମ୍ମୁଖରେ ପରିପ୍ରକାଶ କରିବାକୁ ଚାହୁଁଛି ।ଗତ ୧୦ ବର୍ଷ ମଧ୍ୟରେ ଆମେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ମୁକ୍ତ କରିଛୁ ।୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦିଆଯାଉଛି।ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୫୫ କୋଟି ଲୋକ ଉପକୃତ ହେଉଛନ୍ତି ।ଏବେ ୭୦ ବର୍ଷରୁ ଅଧିକ ବୟସ୍କ ୬କୋଟି ବରିଷ୍ଠ ନାଗରିକ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇପାରିବେ ।ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ ଉପରେ ଆମର ଧ୍ୟାନ ବଜାୟ ରଖି ୩୦ କୋଟିରୁ ଅଧିକ ମହିଳା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବ୍ୟାଙ୍କ ସହିତ ଯୋଡ଼ା ଯାଇଛି ଏବଂ ଋଣ ସୁବିଧା ପ୍ରଦାନ କରାଯାଇଛି ।ବିଶ୍ୱର ସର୍ବବୃହତ ଫସଲ ବୀମା ଯୋଜନା ଅଧୀନରେ ୪ କୋଟିରୁ ଅଧିକ କୃଷକ ୨ହଜାର କୋଟି ଆମେରିକୀୟ ଡଲାର ମୂଲ୍ୟର ଲାଭ ପାଇଛନ୍ତି ।କୃଷକ ଯୋଜନାରେ ୧୧ କୋଟି କୃଷକଙ୍କୁ ୪ ହଜାର କୋଟି ଡଲାରରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।କୃଷକମାନଙ୍କୁ ୩୦ ହଜାର କୋଟି ଆମେରିକୀୟ ଡଲାରର ସଂସ୍ଥାଗତ ଋଣ ଦିଆଯାଉଛି ।ଭାରତ କେବଳ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରୁନାହିଁ ବରଂ ପୁଷ୍ଟିସାଧନ ଉପରେ ମଧ୍ୟ ଧ୍ୟାନ ଦେଉଛି ।

ଏକ ସମନ୍ୱିତ ପୋଷଣ ସହାୟତା କାର୍ଯ୍ୟକ୍ରମ ରୂପେ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦ ଅଭିଯାନ ବିଶେଷ କରି ଗର୍ଭବତୀ ମହିଳା, ନବଜାତ ଶିଶୁ, ୬ ବର୍ଷରୁ କମ୍ ବୟସର ଶିଶୁ ଏବଂ କିଶୋରୀମାନଙ୍କ ପାଇଁ ପୁଷ୍ଟିସାଧନ ଉପରେ ଗୁରୁତ୍ୱ ଦେଇଥାଏ ।ମଧ୍ୟାହ୍ନ ଭୋଜନ ଯୋଜନା ମାଧ୍ୟମରେ ସ୍କୁଲ ଯାଉଥିବା ପିଲାଙ୍କ ପୁଷ୍ଟିସାଧନ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।ବିଶ୍ୱ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ମଧ୍ୟ ଭାରତର ଅବଦାନ ରହିଛି।ନିକଟରେ ଆମେ ମାଲାବି, ଜାମ୍ବିଆ ଏବଂ ଜିମ୍ବାୱେକୁ ମାନବିକ ସହାୟତା ପ୍ରଦାନ କରିଛୁ ।

ବନ୍ଧୁଗଣ,

ଆମର ସଫଳତାର ମୁଖ୍ୟ କାରଣ ହେଉଛି ଆମର ଆଭିମୁଖ୍ୟ: ‘ମୌଳିକ ଦିଗକୁ ଫେରିବା’ ଏବଂ ‘ଭବିଷ୍ୟତ ଅଭିମୁଖେ ଯାତ୍ରା’।ଆମେ କେବଳ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି ନୁହେଁ ବରଂ ନୂତନ ଜ୍ଞାନକୌଶଳ ଉପରେ ମଧ୍ୟ ଧ୍ୟାନ ଦେଇଛୁ ।ଶ୍ରୀଅନ୍ନ ବା ମାଣ୍ଡିଆ ଜାତୀୟ ଶସ୍ୟକୁ ପ୍ରୋତ୍ସାହନ ଦେଇ ଦୀର୍ଘସ୍ଥାୟୀ କୃଷି, ପରିବେଶ ସୁରକ୍ଷା, ପୁଷ୍ଟିସାଧନ ଏବଂ ଖାଦ୍ୟ ନିରାପତ୍ତା ଉପରେ ଆମେ ଗୁରୁତ୍ୱ ଦେଇଛୁ ।ଆମେ ୨ ହଜାରରୁ ଅଧିକ ଜଳବାୟୁ ସହନଶୀଳ ଫସଲ ପ୍ରଜାତି ବିକଶିତ କରିଛୁ ଏବଂ ‘ଡିଜିଟାଲ କୃଷି ମିଶନ’ ଆରମ୍ଭ କରିଛୁ।ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସାମାଜିକ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସକ୍ଷମ କରିଛି ।

ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ପ୍ରକଳ୍ପ ସହିତ ଆମେ ସମାବେଶୀ ବିକାଶ ପାଇଁ ଏକ ନୂତନ ମଡେଲ ସୃଷ୍ଟି କରିଛୁ ଯାହା ସବୁଠାରୁ ଦୁର୍ବଳ ସଂଯୋଗକୁ ସୁଦୃଢ଼ କରିଥାଏ ।

ବନ୍ଧୁଗଣ,

‘‘କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ବୈଶ୍ୱିକ ମେଣ୍ଟ’’ ପାଇଁ ବ୍ରାଜିଲର ପଦକ୍ଷେପକୁ ଆମେ ସମର୍ଥନ କରୁଛୁ।ଖାଦ୍ୟ ନିରାପତ୍ତା ପାଇଁ ଡେକାନ ଉଚ୍ଚସ୍ତରୀୟ ନୀତିର କାର୍ଯ୍ୟକାରିତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଛି ।

ବନ୍ଧୁଗଣ,

ଶେଷରେ, ମୁଁ କହିବାକୁ ଚାହୁଁଛି ଯେ ବିଶ୍ୱ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ସର୍ବାଧିକ ପ୍ରତିକୂଳ ରୂପେ ପ୍ରଭାବିତ ହେଉଛନ୍ତି ।ତେଣୁ ଆମର ଆଲୋଚନା ସେତିକିବେଳେ ହିଁ ସଫଳ ହୋଇପାରିବ ଯେତେବେଳେ ଆମେ ବିଶ୍ୱର ଆହ୍ୱାନ ଏବଂ ପ୍ରାଥମିକତାକୁ ଧ୍ୟାନରେ ରଖିବୁ ।ଆହୁରି ନୂଆଦିଲ୍ଲୀ ଶିଖର ସମ୍ମିଳନୀ ସମୟରେ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟତା ପ୍ରଦାନ କରି ଆମେ ଯେପରି ଗ୍ଲୋବାଲ ସାଉଥର ସ୍ୱରକୁ ପ୍ରୋତ୍ସାହିତ କରିଛୁ, ଆମେ ବିଶ୍ୱ ପ୍ରଶାସନର ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବୁ ।ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଆହୁରି ବିସ୍ତୃତ, ସକାରାତ୍ମକ ଆଲୋଚନା ହେବ ବୋଲି ମୋର ବିଶ୍ୱାସ ରହିଛି।ଆପଣଙ୍କୁ ବହୁତ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *