
ନୂଆଦିଲ୍ଲୀ : ରାଜସ୍ଥାନର ଯୋଧପୁରରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ବର୍ଡର ସିକ୍ୟୁରିଟି ଫୋର୍ସ ଅଫ ଇଣ୍ଡିଆ ବା ବିଏସଏଫର ୬୦ତମ ରେଜିଂ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ବିଏସଏଫ ମହାନିର୍ଦ୍ଦେଶକ ଶ୍ରୀ ଦଲଜିତ ସିଂ ଚୌଧୁରୀଙ୍କ ସମେତ ବହୁ ମାନ୍ୟ ଗଣ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ଆଉ ଏଥିଲାଗି ବିଏସଏଫର ଅବଦାନ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଦୀର୍ଘ ଛଅ ଦଶନ୍ଧି ଧରି ପରାକ୍ରମ, ସାହସ ଓ ତ୍ୟାଗ ବଳରେ ଦେଶର ନିରାପତାକୁ ବିଏସଏଫ ସୁଦୃଢ କରିଥିବା ଅମିତ ଶାହା କହିଥିଲେ । ସୀମାରେ ସବୁପ୍ରକାର ବିପଦକୁ ସାମ୍ନା କରି ଦେଶର ସୁରକ୍ଷା ଓ ନିରାପତାକୁ ବିଏସଏଫ ସୁନିଶ୍ଚିତ କରିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଡିସେମ୍ବର ୧, ୧୯୬୫ଠାରୁ ଦେଶର ପୂର୍ବ ଓ ପଶ୍ଚିମ ସୀମାକୁ ସୁରକ୍ଷା ଦେବାରେ ବିଏସଏଫ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଅମିତ ଶାହା କହିଥିଲେ ।
ଦେଶ ଲାଗି ପ୍ରାଣ ଦେଇଥିବା ୧୯୯୨ ଜଣ ବିଏସଏଫ ଯବାନଙ୍କ ପ୍ରତି ସାରା ଦେଶ କୃତଜ୍ଞ ରହିବ ବୋଲି ଶାହା କହିଥିଲେ । ଗତ ଛଅ ଦଶନ୍ଧି ଧରି ଦେଶର ସୀମାରେ ସଶସ୍ତ୍ର ପହରା ଦେବା କ୍ଷେତ୍ରରେ ବିଏସଏଫ ଯବାନମାନେ ଉଲ୍ଲେଖନୀୟ କୃତିତ୍ୱ ଦେଖାଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ବିଏସଏଫ ଛଡା ଦେଶରେ ବଢୁଥିବା ସୁରକ୍ଷା ଆବଶ୍ୟକତାକୁ ପୂରଣ କରିହେବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ତେବେ ୨୫ ବାଟାଲିୟନରୁ ୧୯୩ ବାଟାଲିୟନକୁ ବୃଦ୍ଧି ପାଇ ବିଏସଏଫର ଅଗ୍ରଗତି ହୋଇଥିବା କଥା ବି ଶାହା ଉଲ୍ଲେଖ କରିଥିଲେ । ପ୍ରାୟ ୨.୭ ଲକ୍ଷ କର୍ମଚାରୀଙ୍କୁ ନେଇ ଚାଲୁଥିବା ବିଏସଏଫ ହେଉଛି ସମଗ୍ର ବିଶ୍ୱର ସବୁଠାରୁ ବଡ ସୁରକ୍ଷା ଏଜେନ୍ସି । ବିଭିନ୍ନ ଅଭିଯାନ ମାଧ୍ୟମରେ ଜାଲ ନୋଟ କାରବାର, ନିଶା କାରବାର, ଅନୁପ୍ରବେଶ, ବାମପନ୍ଥୀ ଉଗ୍ରବାଦ ପରି ବିଭିନ୍ନ ସମସ୍ୟା ମୁକାବିଲା କରିବା କ୍ଷେତ୍ରରେ ବିଏସଏଫର ଭୂମିକା ଅନସ୍ୱୀକାର୍ୟ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ ମତ ପ୍ରକାଶ କରିଥିଲେ । ଦେଶର ପ୍ରଥମ ଧାଡିର ସୁରକ୍ଷା ଏଜେନ୍ସି ଭାବରେ କାମ କରୁଥିବା ବିଏସଏଫର ଆଜି ଯାଏ ୧୯୯୨ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୩୩୦ ଜଣଙ୍କୁ ମେଡାଲ ଦ୍ୱାରା ପୁରସ୍କୃତ କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏଗୁଡିକ ଭିତରେ ଗୋଟିଏ ମହାବୀର ଚକ୍ର, ୬ଟି କୀର୍ତି ଚକ୍ର, ୧୩ଟି ବୀର ଚକ୍ର, ୧୩ଟି ସୂର୍ୟ୍ୟ ଚକ୍ର, ୫୬ଟି ସେନା ମେଡାଲ, ୧୨୪୧ଟି ପୋଲିସ ମେଡାଲ ରହିଛି । ବହୁ ବର୍ଷ ଧରି ବିଏସଏଫ ପୋଲିସରେ ବହୁ ସୁଧାର ଆସିନଥିଲା ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଅମଳରେ ବାନ ବର୍ଡର ବାନ ଫୋର୍ସ ନୀତି ଆପଣାଗଲା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅମଳରେ ଏହାକୁ ଆହୁରି କଡାକଡି କରାଯାଇଥିବା ଶାହା ମତବ୍ୟକ୍ତ କରିଥିଲେ । ସୀମାରେ ଭିତିଭୂମିର ବିକାଶ, ସୀମାବର୍ତୀ ଗ୍ରାମରେ ବିଭିନ୍ନ ସରକାରୀ ଯୋଜନାର ଶତପ୍ରତିଶତ ରୂପାୟନ, ରେଳ, ସଡକ ଓ ଜଳପଥରେ ଗମନାଗମନ ବ୍ୟବସ୍ଥା ପରି ଅନେକ ସୁବିଧା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ବାଙ୍ଗଲାଦେଶ ସୀମାର ୫୯୧ କିଲୋମିଟର ଅଂଚଳରେ ତାର ବାଡ ଘେରା ଯାଇଥିବା ସେ କହିଥିଲେ । ସୀମାର ୧୧୫୯ କିଲୋମିଟରରେ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯିବା ସହ ୫୭୩ଟି ବର୍ଡର ଆଉଟପୋଷ୍ଟ ଓ ୫୭୯ଟି ଅବର୍ଜେରଭେସନ ପୋଷ୍ଟ ନିର୍ମାଣ କରାଯାଇଥିବା ଶାହା ଉଲ୍ଲେଖ କରିଥିଲେ । ଏହାଛଡା ୬୮୫ଟି ଜାଗାକୁ ବିଜୁଳି ସଂଯୋଗ, ୫୭୫ଟି ଜାଗାକୁ ପାଣି ସଂଯୋଗ, ୫୭୦ଟି ସୋଲାର ପ୍ଲାଂଟ ପ୍ରତିଷ୍ଠା କରାଯାଇଥିବା ଶାହା କହିଥିଲେ । ସୀମାର ୧୮୧୨ କିଲୋମିଟର ରାସ୍ତାରେ ବର୍ଡର ରାସ୍ତା ନିର୍ମାଣ ଉପରେ ମୋଦି ସରକାର ପ୍ରାଥମିକତା ଦେଇଥିବା ବି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରାୟ ୪୮ ଶହ କୋଟି ଟଙ୍କା ବଜେଟରେ ମୋଦି ସରକାରଙ୍କ ଭାଇବ୍ରାଂଟ ଭିଲେଜ ଯୋଜନା କଥା ବି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ଏହି ଯୋଜନା ଭିତରେ ଦେଶର ଉତର ଭାଗରେ ବେଆଇନ ଅନୁପ୍ରବେଶକୁ ସାମ୍ନା କରୁଥିବା ସୀମାବର୍ତୀ ଗାଁଗୁଡିକୁ ବିକଶିତ କରାଯାଇଛି । ଯୋଗାଯୋଗ, ସ୍ୱାସ୍ଥ୍ୟ, ନିଯୁକ୍ତି ପରି ବିଭିନ୍ନ କ୍ଷେତ୍ରରେ ଏହି ଗାଁ ବାସିନ୍ଦାଙ୍କ ଉନ୍ନତି ଲାଗି ସରକାର ଯଥେଷ୍ଟ ପଦକ୍ଷେପ ନେଇଥିବା ଶାହା କହିଥିଲେ । ପରୀକ୍ଷା ସ୍ୱରୂପ ଏବେ ୩ ହଜାର ଗାଁରେ ଏହି ବିକାଶମୂଳକ କାମ କରାଯାଉଥିବା ବେଳେ ସୀମାବର୍ତୀ ସବୁ ଗାଁରେ ଶୀଘ୍ର ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଓଖାଠାରେ ଦେଶର ସର୍ବ ପ୍ରଥମ ନେସନାଲ କୋଷ୍ଟାଲ ପୋଲିସ ଏକାଡେମୀ ପ୍ରତିଷ୍ଠା କରାଯାଇଥିବା ଶାହା କହିଥିଲେ । ଏହି ଏକାଡେମୀ ଦ୍ୱାରା ରାଜ୍ୟ ପୋଲିସ ସହ ଉପକୂଳ ସୀମାବଳକୁ ପ୍ରଶିକ୍ଷଣ ଦିଆଯାଇଥାଏ ।
ଆନ୍ତର୍ଜାତିକ ସୀମାକୁ ପହରା ଦେବା ଲାଗି ଇଂଟିଗ୍ରେଟେଡ ବର୍ଡର ମ୍ୟାନେଜମେଂଟ ସିଷ୍ଟମ ମୋଦି ସରକାର କରିଥିବା ବି କେନ୍ଦ୍ର ଗୃହମନ୍ତ୍ରୀ ଉଲ୍ଲେଖ କରିଥିଲେ । ପାଇଲଟ ପ୍ରୋଜେକ୍ଟ ହିସାବରେ ଧୁବ୍ରିଠାରେ ସିଆଇବିଏମଏସ ଲାଗୁ କରାଯାଇ ସୁଫଳ ମିଳିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଏହି ପ୍ରୋଜେକ୍ଟରେ କିଛିଟା ପରିବର୍ତନ କରାଯାଇ ପାକିସ୍ତାନ ଓ ବାଙ୍ଗଲାଦେଶ ସୀମାରେ ବି ଲାଗୁ କରାଯିବ । ଭାରତ ପଟରେ ରହିଥିବା ସୀମାବର୍ତୀ ଅଂଚଳରେ ରାସ୍ତା ନିର୍ମାଣ, ସୀମାରେ ତାର ବାଡ ଦେବା ପରି ବିଭିନ୍ନ ଉନ୍ନତିମୂଳକ କାମ ଏବେ ହାତକୁ ନିଆଯାଇଥିବା ଶାହା କହିଥିଲେ । ଆଗାମୀ ଦିନରେ ଡ୍ରୋନ ଜନିତ ସମସ୍ୟା ବେଶୀ ହେବାକୁ ଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଲେଜର କ୍ଷମତା ରହିଥିବା ଏକ ଆଂଟି ଡ୍ରେନ ବନ୍ଧୁକ ବିକଶିତ କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ଏହାକୁ ହୋଲ ଅଫ ଗଭର୍ଣମେଂଟ ଆପ୍ରୋଚ ବିକଶିତ କରିଛି ଯାହା ଭିତରେ ସବୁ ସୀମା ସୁରକ୍ଷା ବାହିନୀ, ପ୍ରତିରକ୍ଷା ବିଭାଗ, ଡିଆରଡିଓ, ବିଭିନ୍ନ ସରକାରୀ ଗବେଷଣା ସଂସ୍ଥା ରହିଛନ୍ତି । ପଞ୍ଜାବ ସୀମାର ଅନ୍ତର୍ଜାତୀୟ ବର୍ଡରରେ ଅନୁପ୍ରବେଶ କରୁଥିବା ୫୫ ପ୍ରତିଶତ ଡ୍ରୋନକୁ ନଷ୍ଟ କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ତେବେ ଡ୍ରୋନ ଜନିତ ସମସ୍ତ ସମସ୍ୟାରୁ ଦେଶକୁ ରକ୍ଷା କରିବାକୁ ଆସନ୍ତା କିଛି ବର୍ଷ ଭିତରେ ଏକ ସ୍ୱତନ୍ତ୍ର ଆଂଟି ଡ୍ରୋନ ୟୁନିଟ ପ୍ରତିଷ୍ଠା କରାଯିବ । ନିଜ ପରିବାରଠାରୁ ଦୂରରେ ରହି ବିପରୀତଧର୍ମୀ ବାତାବରଣରେ ଯବାନମାନେ ସ୍ୱର୍ଣିମ ଦିନ କାଟୁଛନ୍ତି । ସେମାନଙ୍କ ଦେଶପ୍ରେମ, ତ୍ୟାଗ, ଅବଦାନକୁ ଦେଶ ସମ୍ମାନ ଓ ପ୍ରଶଂସା କରୁଛି । ସମସ୍ତ ପରାକ୍ରମ ଦେଖାଇ ସବୁ ପ୍ରକାର ବାଧାବିଘ୍ନରେ ଆମ ଯବାନମାନେ ଉତ୍କର୍ଷ ଦେଖାପାରିଛନ୍ତି । ଦେଶର ନାଗରିକଙ୍କୁ ପ୍ରାକୃତିକ ବିପର୍ୟ୍ୟୟ, ଆତଙ୍କବାଦୀ ଆକ୍ରମଣ, ବାମପନ୍ଥୀ ଆତଙ୍କବାଦରୁ ରକ୍ଷା କରିବାରେ ଏହି ଯବାନମାନେ ଦେଶର ଆଗଧାଡିର ସୈନିକ । ଯବାନମାନଙ୍କ ପ୍ରତି ପଦକ୍ଷେପ, ସଂଘର୍ଷ ଓ ବିଜୟ ଆମ ଦେଶ ଅପରାଜେୟ ବୋଲି ସୂଚିତ କରିଥାଏ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୪୭ର ସ୍ୱପ୍ନର ଭାରତ ଲାଗି ଏହି ଯବାନମାନଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ଏମାନଙ୍କ ସାହସ, ତ୍ୟାଗ, ପ୍ରତିବଦ୍ଧତା ଲାଗି ଏହା ସମ୍ଭବପର ହୋଇପାରିବ ।ଦେଶର ସୁରକ୍ଷା ବଳର ବିକାଶ ଲାଗି ମୋଦି ସରକାର ବହୁ ପଦକ୍ଷେପ ନେଇଛି । ପ୍ରାୟ ୪୧ କୋଟି ୨୧, ୪୪୩ ଯବାନ ଓ ତାଙ୍କ ପରିବାର ଲାଗି ଆୟୁଷ୍ମାନ ସିଏପିଏଫ ଯୋଜନା ଓ ଆୟୁଷ୍ମାନ ସିଏପିଏଫ କାର୍ଡ ପ୍ରଚଳନ କରାଯାଇଛି । ଯବାନ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ଲାଗି ସାରା ଦେଶର ବିଭିନ୍ନ ହସ୍ପିଟାଲ ସହ ଏହି କାର୍ଡକୁ ଲିଙ୍କ କରାଯାଇଛି । ୧୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରୁଥିବା ୧୪.୮୩ ଲକ୍ଷ ମାମଲାକୁ ଏହାରି ଭିତରେ ସମାଧାନ ବି କରାଯାଇଥିବା ଶାହା ଉଲ୍ଲେଖ କରିଥିଲେ । ଏହାଛଡା ଯବାନମାନେ ୨୯,୮୯୦ଟି ହସ୍ପିଟାଲରେ କାର୍ଡ ଲେସ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ବି ବ୍ୟବସ୍ଥା କରାଯାଇଛି । ଗତ ପାଂଚ ବର୍ଷରେ ଯବାନମାନଙ୍କ ଲାଗି ୧୩ ହଜାର ଘର ନିର୍ମାଣ କରିବାକୁ ଓ ୧୧ ହଜାର ଘର ତିଆରି କରିବା ଲାଗି ଅନୁମୋଦନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୧୧ଟି ବାରାକ ନିର୍ମାଣ କରାଯାଇଥିବା ବେଳେ ସିଏପିଏଫ ଇ-ହାଉସିଂ ବେବ ପୋର୍ଟାଲ ମାଧ୍ୟମରେ ସବୁ ଖାଲି ଘରଗୁଡିକୁ ବି ପୂରଣ କରାଯାଇଛି । ବୃକ୍ଷ ରୋପଣ ଦିଗରେ ସେଂଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ ବା ସିଏପିଏଫ ଭଲ କାମ କରିଥିବା କଥା ବି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଗ୍ରାମାଂଚଳରେ ଉଭୟ ରାଜ୍ୟ ଓ କେନ୍ଦ୍ରର ସବୁ ଜନ କଲ୍ୟାଣକାରୀ ଯୋଜନା ରୂପାୟନ କରିବା ଦିଗରେ ସବୁ ସୀମା ସୁରକ୍ଷା ବଳ ଭଲ କାମ କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।