୫ମ ମରାଠା ଫ୍ଲଡ ଲାଇଟ୍ ଟୁର୍ଣ୍ଣାମେଣ୍ଟ: ଭଞ୍ଜନଗର ଏ ଗୁରୁବା ଏଫସି ଚାମ୍ପିଅନ, ସୋନପୁର ବିଏସଏଫସି ରନର୍ସ

ଭଞ୍ଜନଗର (ଓଡ଼ିଶା ଟୁଡେ): ୫ମ ମରାଠା ଟ୍ରଫି ଫ୍ଲଡ ଲାଇଟ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ଭଞ୍ଜନଗରର ଏ.ଗୁରୁବା ଏଫ୍‌ସି ୩-୦ ଗୋଲରେ ବିଜୟ ହାସଲ କରି ଚାମ୍ପିଅନ୍ ହୋଇଛି। ସୋନପୁର ବିଏସଏଫସି କ୍ଲବ୍ ରନର୍ସ ଅପ୍ ହୋଇଛନ୍ତି। ରବିବାର ଆୟୋଜିତ ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ବେଳେ ଉଭୟ ଦଳର ଖେଳାଳି ପଡ଼ିଆରେ ବେଶ୍ ଝାଳ ବୁହାଇଥିଲେ। ଫାଇନାଲ ମ୍ୟାଚ୍‌ରେ ଅତିଥି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ଘୁମୁସର ତହସିଲଦାର ଉମାଶଙ୍କର ବେହେରା, ନୀଳମାଧବ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଫାଇନାଲ ମ୍ୟାଚର ପ୍ରଥମାର୍ଦ୍ଧରେ ଏ.ଗୁରୁବା ଟିମ୍ ଲଗାତାର ୩ଟି ଗୋଲ୍ ଦେଇ ପ୍ରତିପକ୍ଷଙ୍କୁ ଚାପରେ ରଖିବାରେ ସମର୍ଥ ହୋଇଥିଲେ। ଫଳରେ ଦ୍ଵିତୀୟାର୍ଦ୍ଧ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅତିଥି ବିଧାୟକ ପ୍ରଦ୍ୟୁମ୍ନ ନାୟକ ଏ.ଗୁରୁବା ଟିମ୍‌କୁ ଚାମ୍ପିଅନ ଟ୍ରଫି ସହ ୩୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିପରି ବିଏସଏଫସି କ୍ଲବ୍ ସୋନପୁରକୁ ରନର୍ସ ଅପ୍ ଟ୍ରଫି ଏବଂ ୨୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ । ଚାମ୍ପିଅନ ଟିମ୍‌ର ଖେଳାଳି ଡି. ସଞ୍ଜୟ ମ୍ୟାନ୍ ଅଫ୍ ଦ ସିରିଜ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ମ୍ୟାଚ୍ କମିଶନର ପି.ରମେଶ। ରେଫେରୀ ଦାୟିତ୍ଵ ତୁଲାଇଥିଲେ ଜାତୀୟ ସ୍ତରର ରେଫେରୀ ସୁବ୍ରତ ପୁରୋହିତ, ପ୍ରଦୀପ୍ତ କୁମାର ନାୟକ। ପ୍ରଶାନ୍ତ କୁମାର ମହାନ୍ତି ଓ ସୁଶାନ୍ତ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ। ଭଞ୍ଜନଗର ଟିମ୍ ଚାମ୍ପିଅନ ହୋଇଥିବାରୁ ସ୍ଥାନୀୟ ଦର୍ଶକ ମାନଙ୍କ ଉତ୍ସାହ ଓ ଖୁସି ଆକାଶ ଛୁଆଁ ହୋଇଥିଲା । ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ୫ମ ମରାଠା ଟ୍ରଫି ଫ୍ଲଡ ଲାଇଟ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *