
ସିନାପାଲି :୨୭/୦୪-(ପରମେଶ୍ୱର ମେହେର )ନୂଆପଡା ଜିଲ୍ଲା ସିନାପାଲି ଠାରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ପୂର୍ଣ୍ଣାହୁତୀ ପଡିଛି l ଆଜି ସକାଳୁ ଧ୍ବଜାରୋହଣ, ବିଗ୍ରହଙ୍କ ନଗରପରିକ୍ରମା ଓ ମନ୍ଦିର ପ୍ରବେଶ ନୀତି ସହ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଧାର୍ମିକ ସମାରୋହର ପରିସମାପ୍ତି ଘଟିଛି l ଗତ ଗୁରୁବାର ଭବ୍ୟ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟହ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା ଆଦି ରୀତିନୀତି ଅନୁଷ୍ଠିତ ହୋଇଥିଲା l ଏ ଅବସରରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବୈଠକୀ କୀର୍ତନ ମୁଖ୍ୟ ଆକର୍ଷଣ ଥିଲା l ପ୍ରତିଷ୍ଠା ଉତ୍ସବରେ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଉତ୍ସବ ପରିଚାଳନା କମିଟିର ସଭାପତି ସୁବାଷ ଅଗ୍ରୱାଲ, ଉପସଭାପତି ଈଶ୍ୱର ପ୍ରସାଦ ମେହେର, ସମ୍ପାଦକ ଚନ୍ଦ୍ରଶେଖର ମେହେର, ସହ ସମ୍ପାଦକ ଗଣେଶରାମ ମେହେର, କୋଷାଧକ୍ଷ ସନ୍ତୋଷ କୁମାର ମେହେରଙ୍କ ସହ ଲୋକନାଥ ମେହେର, ଖଗେଶ୍ୱର ମେହେର (ଟେରିକଟ) ଉଦ୍ଧବ ମେହେର, ପ୍ରଦୀପ ମେହେର, କ୍ଷୀରସିନ୍ଧୁ ମେହେର, ମୁରଲୀଧର ମେହେର, କେଶରୀ ମେହେର ପ୍ରମୁଖ ପରିଚାଳନା କରିଥିଲେ l ଉତ୍ସବରେ ଦଶ ଯୋଡ଼ା ଦମ୍ପତି କର୍ତା ରହିଥିବା ବେଳେ ମୁଖ୍ୟ ପୂଜକ ଭାବରେ ହରିଶ୍ଚନ୍ଦ୍ର ଖମାରୀ ଦାୟିତ୍ୱ ନିର୍ବାହ କରିଥିଲେ l ସୂଚନାଯୋଗ୍ୟ ଯେ ସେତେବେଳର ଶିବ ଉପାସକଙ୍କ ଆଗ୍ରହକୁ ଦେଖି ପ୍ରାୟ ୧୯୪୦ ମସିହା ବେଳକୁ ଏଠିକାର ଜଣେ ଧର୍ମପ୍ରାଣ ବ୍ୟକ୍ତି ଧନୁ ମେହେର ନିଜସ୍ୱ ପ୍ରୟାସରେ ଏଠାରେ ଏକ ଗଛ ମୂଳରେ ଉଭୟ ସିନାପାଲି ଓ କାପସି ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ଚେଷ୍ଟାରେ ପୂଜା ପାଇ ଆସୁଥିବା ଶିବ ଭଗବାନଙ୍କ ପାଇଁ ଏକ ଗୁଡ଼ି ତିଆରି କରିଥିଲେ, ଯାହା ମହାଦେବଗୁଡ଼ି ଭାବରେ ଅଦ୍ୟବଧି ଲୋକଙ୍କ ବିଶ୍ୱାସର ପ୍ରତୀକ ହୋଇ ରହିଆସିଥିଲା l ଅନେକ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଏଠାରେ ପାଳ ପଡି ଭଗବାନ ଶିବଙ୍କ ଆଶୀର୍ବାଦ ପାଇଥିବା ଶୁଣାଯାଏ, ଯାହା ଏହି ମନ୍ଦିରର ମହତ୍ୱକୁ ଅଧିକ ପରିବର୍ଦ୍ଧିତ କରେ l ବଂଶାନୁକ୍ରମେ ସୌଦାଗର ଦାସଙ୍କ ପରିବାର ଏହି ମନ୍ଦିରର ପୂଜା ଦାୟିତ୍ୱରେ ରହିଆସିଥିବା ବେଳେ ଏବେ ତାଙ୍କ ଉତ୍ତରାଧିକାରୀ ଭାବେ ଭୀଷ୍ମରାଜ ଦାସ ମନ୍ଦିର ପୂଜକ ରହିଛନ୍ତି l ତେବେ ଗତ ୨୦୧୬ରେ ସେତେବେଳର ସରପଞ୍ଚ ସତ୍ୟବାନ ମେହେର ଓ କିଛି ଭଦ୍ର ବ୍ୟକ୍ତିଙ୍କ ଉଦ୍ୟମରେ ଯମୁନା ମେହେର ଦାନ ଦେଇଥିବା ଭୂମିରେସର୍ବସାଧାରଣଙ୍କ ସହଯୋଗରେ ଏହି ଗୁଡିକୁ ଭବ୍ୟ ମନ୍ଦିର କରିବାକୁ ପ୍ରୟାସ ଆରମ୍ଭ ହୋଇଥଲା l ଆଜି ଏଭଳି ଭବ୍ୟ ଓ ଆକର୍ଷଣୀୟ ଶିବ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଅଞ୍ଚଳରେ ଉତ୍ସାହ ଖେଲି ଯାଇଛି l