୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗଙ୍କୁ ଭତ୍ତା ବଣ୍ଟାଗଲା: ୪.୧୭ ଲକ୍ଷଙ୍କୁ ମାସିକ ~ ୩୫୦୦

କେନ୍ଦୁଝର: ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରରେ ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ ଉପକୃତ ହେବେ। ବୁଧବାର କେନ୍ଦୁଝର ଡିଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। ଯେଉଁ ସମାଜରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ। ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର। ସେମାନଙ୍କ ହସ, ଖୁସି ଏବଂ ଯୁବ ସମାଜଉପରେ ସେମାନଙ୍କ ଅଖଣ୍ଡ ଆସ୍ଥା ହିଁ ଆମର ବିରଳ ସମ୍ପତ୍ତି ।

ଏମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ। ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀ, ସମସ୍ତେ ଏହି ବର୍ଦ୍ଧିତ ଭତ୍ତା ପାଇବେ। କେନ୍ଦୁଝର ଜିଲ୍ଲାର ୯,୯୧୩ ଜଣ ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ଆଦର୍ଶ ସମାଜ ଗଠନ ଆଡ଼କୁ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ। ନୂଆ ସରକାର କଥା ଦେଇ କଥା ରଖିଛନ୍ତି। ଏହି ବର୍ଦ୍ଧିତ ପେନ୍‌ସନ୍‌ର ଶୁଭାରମ୍ଭ କରି ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ସାହଯ୍ୟ କଲେ ପୁଣ୍ୟ ଅର୍ଜନ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବୟସ୍କ, ଭିନ୍ନକ୍ଷମମାନେ ସେମାନଙ୍କ ସମସ୍ୟା ନେଇ ଆସନ୍ତି। ମୁଁ ଆଗ ପ୍ରାଧାନ୍ୟ ଦେଇ ସେମାନଙ୍କ ସମସ୍ୟା ଶୁଣେ ଓ ତା’ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥାଏ। ଗରିବ, ଭିନ୍ନକ୍ଷମ ଓ ଅସହାୟଙ୍କୁ ସାହାଯ୍ୟ କରି ମୁଁ ଯେଉଁ ସନ୍ତୋଷ ପାଉଛି, ତାହା ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ପୁଞ୍ଜି। ନୂଆ ସରକାରକୁ ମାତ୍ର ୭ ମାସ ହୋଇଛି। ଏହି ୭ ମାସ ମଧ୍ୟରେ ଆମ ସରକାର ଲୋକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣପଦକ୍ଷେପ ନେଇଛନ୍ତି ।

ଦୁଇଦିନ ତଳେ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି। ଏହା ମାଧ୍ୟମରେ ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାରେ ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକଙ୍କୁ ଯୋଡ଼ିଛନ୍ତି। ଏହାଦ୍ବାରା ଗାଁଗଣ୍ଡାର ଲୋକେ ସହରକୁ ଯାଇ ଭଲ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ। କେନ୍ଦୁଝରରେ ଖୁବ୍‌ଶୀଘ୍ର ବୃହତ୍‌ ଇସ୍ପାତ କାରଖାନା ନିର୍ମାଣ ହେବ। ଚଳିତ ମାସ ଶେଷ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଏଥିପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହେବ। କେବଳ କେନ୍ଦୁଝର ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ସ୍ଥାପନ ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ ପାଇଁସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରକ୍ଷାକର ଜେନା, ଯୋଗେନ୍ଦ୍ର ନାୟକ, ରଜନୀ ମହାନ୍ତିଙ୍କୁ ବର୍ଦ୍ଧିତ ବୟସ୍କ ଭତ୍ତା ଏବଂ ସତ୍ୟଭାମା ସେଠୀ, ଅନିରୁଦ୍ଧ ଦାସ ଏବଂ ଜୟକୃଷ୍ଣ ମହାନ୍ତଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କେନ୍ଦୁଝର ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ଉପସ୍ଥିତ ଥିଲେ। ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *