ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା, ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା

ଭୁବନେଶ୍ବର : କଡ଼ ଲେଉଟାଇଲା ମାହାଙ୍ଗା ଡବଲ ମର୍ଡର ମାମଲା। ଏହାଫଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ପ୍ରତାପ ଜେନାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ ଏବଂ ରଞ୍ଜିତ ବରାଳଙ୍କ ପକ୍ଷରୁ ଅମନ ଲେଖି ଏହି ମାମଲା ଲଢ଼ୁଛନ୍ତି। ସାକ୍ଷୀମାନଙ୍କର ହେବ ପୁନର୍ବାର ବୟାନ ରେକର୍ଡ। ରାଜ୍ୟ ଆଇନ ବିଭାଗକୁ ଏନେଇ ୪ ସପ୍ତାହ ମଧ୍ୟରେ ଅବଗତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଥିଲା। ଶ୍ରୀ ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ। ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଥିଲେ।ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ଦୁଇ ପର୍ଯ୍ୟାୟର ତଦନ୍ତ ପରେ ଘଟଣାରେ ଆବେଦନକାରୀଙ୍କ ସଂପୃକ୍ତି ନେଇ କିଛି ତଥ୍ୟ ପାଇ ନଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଷଡ଼ଯନ୍ତ୍ର ପ୍ରସଂଗରେ ବିଶେଷ କରି ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ବେଳେ ଫୋନ୍ ସିଡିଆର ସମୀକ୍ଷା କରାଯାଇଥିଲା କିନ୍ତୁ ଆବେଦନକାରୀଙ୍କ ସଂପୃକ୍ତି ନେଇ ତଥ୍ୟ ମିଳି ନଥିଲା ।

ଅନ୍ୟପକ୍ଷରେ ପୂର୍ବରୁ ଏହି ଘଟଣାକୁ ନେଇ ରୁଜୁ ମାମଲାରେ ୨୦୨୧, ମେ ୧ରେ ଚାର୍ଜସିଟ ଦାଖଲ ପରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜେଏମଏଫସି ଅଦାଲତ କଗନିଜାନ୍ସ ଗ୍ରହଣ କରିଥିଲେ। କମିଟମେଣ୍ଟ ପରେ ମାମଲାର ରେକର୍ଡ ଦୌରା ଅଦାଲତରେ ଥିବା ବେଳେ ଦ୍ବିତୀୟ ପ୍ରୋଟେଷ୍ଟ ପିଟିସନର ସାଲେପୁର ଜେଏମଏଫସି ଅଦାଲତ ଶୁଣାଣି କରି ଆବେଦନକାରୀଙ୍କୁ ଅତିରିକ୍ତ ଅଭିଯୁକ୍ତ ଭାବେ ସଂଯୋଗ କରିଥିଲେ। କମିଟମେଣ୍ଟ ପରେ ଦୌରା ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସାଲେପୁର ଜେଏମଏଫସି ଅଦାଲତ ଦ୍ବତୀୟ କଗନିଜାନ୍ସ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। କମିଟିମେଣ୍ଟ ପରେ ଦୌରା ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଆଧାରରେ ସାଲେପୁର ଜେଏମଏଫସି ଅଦାଲତରେ ଆରମ୍ଭ କରାଯାଇଥିବା ବିଚାରପ୍ରକ୍ରିୟା କ୍ଷମତାପରିସର ବାହାରେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଦୌରା ଅଦାଲତ ଆବେଦନକାରୀଙ୍କୁ ଅତିରିକ୍ତ ଅଭିଯୁକ୍ତ ଭାବେ ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇପାରିଥାନ୍ତେ। କିନ୍ତୁ ଦୌରା ଅଦାଲତ ଏହି କ୍ଷମତା ପ୍ରୟୋଗ କରି ନଥିଲେ ବା ଏଥି ପାଇଁ ସେଠାରେ କୌଣସି ଆବେଦନ କରାଯାଇ ନଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *