
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ସହରର ମାଲସାହି ସ୍ଥିତ ଏକ ଭଡା ଘରୁ ସୋମବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ସୋରଡା ଥାନା ଅଧିନ କେଶରା ଗ୍ରାମର ଜ୍ୟୋତିରାଣୀ ସେଠୀ (୨୧) । ସେ ଭଞ୍ଜନଗର ସିଟି ଟ୍ରେନିଂ ସ୍କୁଲର ଛାତ୍ରୀ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପୁଲିସ କେସ୍ ନମ୍ବର ୬/୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଜ୍ୟୋତି ପ୍ରାୟ ଦେଢ ବର୍ଷ ହେବ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଭଞ୍ଜନଗର ସହରର ମାଲ ସାହି ସ୍ଥିତ ଏକ ଭଡା ଘରେ ସହପାଠୀଙ୍କ ସହ ରହୁଥିଲେ । ରବିବାର ବିଦ୍ୟାଳୟରେ ସରସ୍ୱତୀ ପୂଜା ପାଳନ କରିଥିବା ବେଳେ ସୋମବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ସେଥି ନିମନ୍ତେ ରୁମରେ ରହୁଥିବା ଅନ୍ୟ ମାନେ ବିଦ୍ୟାଳୟକୁ ଯାଇଥିବା ସମୟରେ ସେ ଘରେ ଏକାକୀ ଥିଲେ । ଜ୍ୟୋତିଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ଖବର ପାଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ଏସଡିପିଓ ସୁଜିତ କୁମାର ନାୟକ, ଥାନା ଅଧିକାରୀ କୁମର ମୁଦୁଲି, ଏଏସ୍ଆଇ ସୁରେଶ ସେନାପତି ଘଟଣାସ୍ଥଳରେ ପହଞ୍ଚି ସହପାଠୀ ମାନଙ୍କୁ ପଚରା ଉଚରା କରିଛନ୍ତି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।