ଭଞ୍ଜନଗର ବ୍ଲକରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳ ଯୋଗାଣ ବିଭାଗ ଦ୍ଵାରା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମ୍ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ବ୍ଲକ୍ ରେ ଭର୍ଚ୍ୟୁଆଲ ସ୍କ୍ରିନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଛି ।

ଭଞ୍ଜନଗର ବ୍ଳକ ପରିସରରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ, ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ସିଡିପିଓ ମିଲିମା ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ରବୀନ୍ଦ୍ର ଗୌଡ଼, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଗ୍ରାମାଞ୍ଚଳ ଗୁଡ଼ିକରେ ଉନ୍ନତ ରାସ୍ତାଘାଟ ଠାରୁ ଆରମ୍ଭ କରି ଶିକ୍ଷା, କ୍ରୀଡା ଭିତ୍ତିଭୂମିର ସଂପ୍ରସାରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳର ଉନ୍ନତି, ବହୁମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ ଏହି ଯୋଜନା ଦ୍ବାରା କରାଯାଇ ପାରିବ । ତେଣୁ ସରକାର କରୁଥିବା ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଧାୟକ ଶ୍ରୀ ନାୟକ ଆହ୍ବାନ ଦେଇଥିଲେ । ତୃଣମୂଳ ସ୍ତରରେ ଗାଁ ଗୁଡ଼ିକର ବିକାଶ ହେଲେ ହିଁ ଓଡ଼ିଶାର ବିକାଶ ସମ୍ଭବ ବୋଲି ବିଧାୟକ ଶ୍ରୀ ନାୟକ ମତ ରଖିଥିଲେ । ଏହି ଅବସରରେ ସେ ଗତମାସରେ ଦୋମୁହାଁଣି ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ଗପଦର ଗ୍ରାମକୁ ବହୁ କଷ୍ଟରେ ଗସ୍ତ କରିଥିବା ଅଭିଜ୍ଞତା ସଂର୍ପକରେ ପ୍ରକାଶ କରିଥିଲେ । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ଅଞ୍ଚଳରେ ବିକାଶ ଛୁଇଁ ପାରି ନଥିବାରୁ ଅତିଶୀଘ୍ର ସମସ୍ତ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟାରେ ପୁରୁଷ ଏବଂ ମହିଳା ଯୋଗ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ ଏହି ଯୋଜନା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ରାଜ୍ୟ ସରକାର ଏହି ଯୋଜନାରେ ରାଜ୍ୟର ବିଭିନ୍ନ ଗ୍ରାମ ଗୁଡ଼ିକର ମୌଳିକ ଭିତ୍ତିଭୂମି ବିକାଶ ସହିତ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ଅନୁନ୍ନତ ଜନଜାତି ବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ଆଧୁନିକୀକରଣ ଓ ସମ୍ପ୍ରସାରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *