
ଆମେରିକାର ଆକ୍ରମଣ ଖବର ପ୍ରଚାରିତ ହେବା ପରେ ଅଶୋଧିତ ତେଲ ଦରରେ ନିଆଁ ଲାଗିଯାଇଛି। ଆଜି ଦିନକ ଭିତରେ ଏହାର ଦାମ୍ ୩ ଡଲାର ବଢ଼ି ୬୯.୧୬ ଡଲାର ହୋଇଯାଇଛି। ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଭାରତ ଭଳି ଦେଶ ପାଇଁ ଏହି ଖବର ବଡ଼ ଝଟ୍କା ସଦୃଶ ହୋଇଛି। ଶେଷ ଥର ଲାଗି ୨୦୧୯ ଡିସେମ୍ବର ୧୭ରେ ଅଶୋଧିତ ତେଲ ଦରକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ଭାରତରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ଏବେ ୭୪ ଟଙ୍କାରୁ ଅଧିକ ଓ ଡିଜେଲ୍ ୭୩ ଟଙ୍କାରୁ ଅଧିକ ସ୍ତରରେ ରହିଛି। ଅଶୋଧିତ ତେଲ ମହଙ୍ଗା ହେଲେ ପେଟ୍ରୋଲ ଓ ଡିଜେଲ୍ ଦାମ୍ରେ ଆହୁରି ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। କାରଣ ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ତେଲର ଦର ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ପରିବର୍ତ୍ତନ କରୁଛନ୍ତି। ତୈଳ ବଜାରରେ ଆଗାମୀ ଦିନରେ ଦେଖାଦେବାକୁ ଥିବା ସ୍ଥିତିକୁ ଆକଳନ କରି ’ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ପ୍ଲାଟ୍’ର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବଜାରରେ ଏବେବି ଚାହିଦା ତୁଳନାରେ ତେଲ ଯୋଗାଣ ଅଧିକ ରହିଛି। କିନ୍ତୁ, ଯଦି ହର୍ମୁଜ୍ ପ୍ରଣାଳୀକୁ ଇରାନ ବନ୍ଦ କରିବାକୁ ନିଷ୍ପତ୍ତି ନେବ ତେବେ ବିଶ୍ବ ତୈଳ ଯୋଗାଣ ୨୦% ପ୍ରଭାବିତ ହେବ। ଏହା ତେଲ ଦରକୁ ଆକାଶଛୁଆଁ ସ୍ତରରେ ପହଞ୍ଚାଇ ଦେବ। ହମରୁଜ୍ ପ୍ରଣାଳୀ ହେଉଛି ସମଗ୍ର ବିଶ୍ବର ବାଣିଜ୍ୟ କାରବାର ଲାଗି ଏକ ପ୍ରମୁଖ ଜଳପଥ। ହମ୍ରୁଜ୍ ପ୍ରଣାଳୀ ଦେଇ ବିଶ୍ବର ୨୧% ତେଲ ପରିବହନ କରାଯାଇଥାଏ। ସାଉଦି, ଇରାକ, କୁଏତ, ଇରାନ, ୟୁଏଇ ଓ କତାର ତେଲ ଜାହଜଗୁଡ଼ିକ ଏହି ଅଣ ଓସାରିଆ ପ୍ରଣାଳୀ ଦେଇ ଆଗକୁ ବଢ଼ିଥାଏ।