
ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଆଶଙ୍କାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତେବେ ଅନେକ ଲୋକ ଲକଡାଉନକୁ ମାନୁନଥିବାରୁ ସେମାନଙ୍କ ବିରୋଧରେ ସରକାର ଓ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାକି ଯେଉଁ ଲୋକମାନେ ଏହାକୁ ମାନିବାକୁ ଚାହାନ୍ତି ସେମାନେ ଘରେ ବସି ବସି ବିରକ୍ତି ହୋଇଯାଉଛନ୍ତି ବୋଲି କହିଛନ୍ତି। ତେବେ ଏହି ଲୋକମାନେ ଆଉ ଚିନ୍ତା କରନ୍ତୁ ନାହିଁ। ସରକାର ଏବେ ଆପଣଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଛାଡିଛନ୍ତି ‘ରାମବାଣ’। ଅର୍ଥାତ ୯୦ ଦଶକର ଲୋକପ୍ରିୟ ସିରିୟଲ ‘ରାମାୟଣ’ ପୁଣିଥରେ ଦୂରଦର୍ଶନରେ ସକାଳ ୯ଟାରେ ପୁଣିଥରେ ପ୍ରସାରଣ ହେବାକୁ ଯାଉଛି। ଅର୍ଥାତ ୩୩ ବର୍ଷ ପୁରୁଣା ରାମାୟଣ ଏବେ ଲୋକମାନେ ଦେଖିପାରିବେ।
ଏ ସମ୍ପର୍କରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଜାଭେଡକର କହିଛନ୍ତି, ଲୋକଙ୍କର ଦାବିକୁ ଗ୍ରହଣ କରି ଶନିବାର ୨୮ ମାର୍ଚ୍ଚରୁ ‘ରାମାୟଣ’ର ପ୍ରସାରଣ ପୁଣିଥରେ ଦୂରଦର୍ଶନର ନ୍ୟାସନାଲ ଚ୍ୟାନେଲରେ ପ୍ରସାରଣ କରାଯିବ। ପ୍ରଥମ ଏପିସୋଡ୍ ସକାଳ ୯ଟାରେ ଓ ଦ୍ବିତୀୟ ଏପିସୋଡ୍ ରାତି ୯ଟା ବେଳେ କରାଯିବ।’ କେବଳ ସେତିକି ନୁହେଁ ସରକାର ବି.ଆର ଚୋପ୍ରାଙ୍କ ପ୍ରସିଦ୍ଧ ସିରିୟଲ ‘ମହାଭାରତ’ ପୁଣିଥରେ ପ୍ରସାରର କରିବା ନେଇ ସମ୍ଭାବନା ରହିଛି।
ଉଲ୍ଲେଖନୀୟ ଯେ, ୧୯୮୭ ମସିହାରେ ପ୍ରଥମ ଥର ପାଇଁ ରାମାନନ୍ଦ ସାଗରଙ୍କ ନିର୍ମିତ ‘ରାମାୟଣ’ ସେତେବେଳେ ଖୁବ୍ ଲୋକପ୍ରିୟ ସିରିୟଲ ଥିଲା। ଏହି ସିରିୟଲ ଯେତେବେଳେ ଆରମ୍ଭ ହେବାର ସମୟ ହେଉଥିଲା ରାସ୍ତାଘାଟ ଶୂନଶାନ୍ ହୋଇଯାଉଥିଲା। ଲାଗୁଥିଲା ବାହାରେ ଯେପରି କର୍ଫୁ ଲାଗୁ କରାଯାଇଛି। ସମସ୍ତେ ଟିଭି ଆଗରେ ‘ରାମାୟଣ’ ଦେଖିବାକୁ ବସିଯାଉଥିଲେ। ୫୫ଟି ଦେଶର ସାଢେ ୬ କୋଟିରୁ ଅଧିକ ଲୋକ ‘ରାମାୟଣ’ର ଦର୍ଶକ ଥିଲେ। ‘ରାମାୟଣ’ରେ ରାମ ଓ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଓ ଦୀପିକା ଚିଖାଲିୟାଙ୍କ ଫଟୋ ଘରେ ଘରେ ରାମ-ସୀମା ଭାବରେ ଲଗାଯାଉଥିଲା।