
ଭୁବନେଶ୍ୱର : ଆଜି ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇର ଦଶମ ଓ ଦ୍ୱାଦଶର ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । କେବଳ କଣ୍ଟେନମେଣ୍ଟ୍ ଜୋନ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜୋନରେ ମୂଲ୍ୟାୟନ କାର୍ଯ୍ୟ ଚାଲିପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । ଖାତା ଦେଖିବାକୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୂଲ୍ୟାୟନ କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ । ଘରେ ରହି ଖାତା ଦେଖିବେ ଶିକ୍ଷକ । ୫୦ ଦିନରେ ଖାତା ଦେଖା ସରିବ ବୋଲି ଆଜି ଟୁଇଟ୍ କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ ସୂଚନା ଦେଇଛନ୍ତି । ଅପରପକ୍ଷେ ଆସନ୍ତାକାଲି ରବିବାର ଥିବାରୁ ଓଡ଼ିଶାରେ ସୋମବାରଠୁ ଖାତା ଦେଖା ଆରମ୍ଭ ହେବ ବୋଲି ସିବିଏସ୍ଇ ଆଞ୍ଚଳିକ ଅଧିକାରୀ ଟି. ମାଟେ ସୂଚନା ଦେଇଛନ୍ତି ।
ସାରା ଦେଶରେ ଏବେ ୩ ହଜାର ସ୍କୁଲରେ ପରୀକ୍ଷା ଖାତା ରହିଛି । ମୂଲ୍ୟାୟନ ପାଇଁ ଖାତା କିମ୍ବା ଆବଶ୍ୟକ ସାମଗ୍ରୀ ପରିବହନ ସମୟରେ ରାସ୍ତାରେ କେହି ଅଟକାଇବେ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏ ବାବଦରେ ଆଜି ଟୁଇଟ୍ କରି ଡ. ନିଶଙ୍କ ଉଲ୍ଲେଖ କରିଛନ୍ତି ଯେ ସିବିଏସ୍ଇର ଉଭୟ ଦଶମ ଓ ଦ୍ୱାଦଶର ୧୭୩ଟି ବିଷୟର ଦେଢ଼ କୋଟି ଉତ୍ତର ଖାତାର ମୂଲ୍ୟାୟନ ହେବ ।
ସେହିପରି ଜୁଲାଇ ୧ରୁ ୧୫ ତାରିଖ ଭିତରେ ହେବାକୁ ଥିବା ୨୯ଟି ବିଷୟର ପରୀକ୍ଷା ସରିବା ପରେ ସେଗୁଡିକ ମଧ୍ୟ ମୂଲ୍ୟାୟନ ହେବ । ସାରା ଦେଶରେ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ୧୨ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ସିବିଏସ୍ଇର କୌଣସି ମୂଲ୍ୟାୟନ କେନ୍ଦ୍ର କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟ କଣ୍ଟେନମେଣ୍ଟ୍ ଜୋନ୍ରେ ନାହିଁ ବୋଲି ଗୃହ ବିଭାଗ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଞ୍ଜିବ କୁମାର ଜିନ୍ଦଲ ଉଚ୍ଚ ଶିକ୍ଷା ବିଭାଗ ସଚିବ ଅନିତା କରୱାଲ୍ଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ।